ରାହୁଲ-ସଚିନଙ୍କ ମାରାଥନ ବୈଠକ
ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ତୀବ୍ର ଗୋଷ୍ଠୀ ବିବାଦ ଭିତରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟରେ ରାଜନୀତି ସରଗରମ ହୋଇଉଠିଛି । ରାଜସ୍ଥାନକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ମାରାଥନ ବୈଠକ କରିଛନ୍ତି । ସୂତ୍ରରୁ ଜଣାପଡ଼ିଛି, ଏହି ବୈଠକରେ ରାଜସ୍ଥାନର ସାମ୍ପ୍ରତିକ ସ୍ଥିତି ସହ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଛି । ରାଜସ୍ଥାନର ପରିସ୍ଥିତିକୁ ନେଇ ଚଳିତ ବର୍ଷ ରାହୁଲ ଗାନ୍ଧିଙ୍କର ଏହା ହେଉଛି ପ୍ରଥମ ବୈଠକ । ତେବେ ଏହି ବୈଠକ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗୋଷ୍ଠୀର କୌଣସି ପ୍ରତିକ୍ରିୟା ଜଣାପଡ଼ିନାହିଁ । ସୂଚନାଯୋଗ୍ୟ, ସଚିନ ପାଇଲଟ ୨୦୨୦ ଜୁଲାଇ ପର୍ଯ୍ୟନ୍ତ ରାଜସ୍ଥାନ କଂଗ୍ରେସର ଅଧ୍ୟକ୍ଷ ଏବଂ ଉପମୁଖ୍ୟମନ୍ତ୍ରୀ ଥିଲେ । ଅଶୋକ ଗେହଲଟ ଏବଂ ସଚିନଙ୍କ ମଧ୍ୟରେ ବଡ଼ ବିବାଦ ସାମ୍ନାକୁ ଆସିବା ସହ ଉଭୟ ନିଜ ସମର୍ଥକ ବିଧାୟକମାନଙ୍କୁ ପରସ୍ପର ବିରୋଧରେ ଏକଜୁଟ କରିଥିଲେ । ସରକାରରେ କନ୍ଦଳ ଚରମରେ ପହଞ୍ଚିବାରୁ ସଚିନ ପାଇଲଟଙ୍କଠାରୁ ଦୁଇଟିଯାକ ପଦବି ପ୍ରତ୍ୟାହାର କରି ନିଆଯାଇଥିଲା । ଏବେ ରାହୁଳଙ୍କ ସହ ସଚିନଙ୍କ ବୈଠକକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି ।
Powered by Froala Editor