ଉଧମପୁରରେ ସେନା ହେଲିକପ୍ଟର କ୍ରାଶ
ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲା ଶିବ ଗର ଧର ଠାରେ ଭାରତୀୟ ସ୍ଥଳ ସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ପାଇଲଟ ଆହତ ହୋଇଥିଲେ। ଆହତ ହେବା ପରେ ଉଭୟ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଛି। PRO ପ୍ରତିରକ୍ଷା ଜାମ୍ମୁ ଏହି ସୂଚନା ଦେଇଛନ୍ତି। ଖରାପ ପାଗ ଯୋଗୁ ହେଲିକପ୍ଟରଟି ଜଙ୍ଗଲ ମଧ୍ୟରେ ଖସି ପଡ଼ିଥିବା କୁହାଯାଉଛି। ଖବର ପାଇ ପୁଲିସ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି।
ଉଧମପୁର ଡିଆଜି ସୁଲେମାନ ଚୌଧୁରୀ କହିଛନ୍ତି, ପୁଲିସ୍ କ୍ରାଶ ସମ୍ପର୍କରେ ଖବର ପାଇବା କ୍ଷଣି ଉଦ୍ଧାରକାରୀ ଟିମ୍କୁ ଶିବ ଗର ଧରକୁ ପଠାଇଛି। ଉକ୍ତ ଅଞ୍ଚଳରେ କୁହୁଡ଼ି ଯୋଗୁ ରାସ୍ତା ଠିକ ଭାବେ ଦେଖାଯାଉନି। ତେଣୁ ଖରାପ ପାଗ ଯୋଗୁ ଦୁର୍ଘଟଣା ହୋଇଛି। ତଥାପି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି । ସୂଚନାଯୋଗ୍ୟ, ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀରର କଠୁଆ ଅନ୍ତର୍ଗତ ରଣଜିତ ସାଗର ଡ୍ୟାମ ହ୍ରଦ ନିକଟରେ ସ୍ଥଳ ସେନାର ଗୋଟିଏ ହେଲିକପ୍ଟର କ୍ରାଶ ହୋଇଥିଲା।
Powered by Froala Editor