ତଦନ୍ତ କରିବ ଭାରତ : ବ୍ୟବସାୟ ପାଇଁ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଛି ଆମାଜନ !

ଆମାଜନ ବିରୋଧରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । କାରଣ ବ୍ୟବସାୟ ପାଇଁ ଆମାଜନର ଆଇନଗତ ପ୍ରତିନିଧି କିଛି ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଆମେରିକୀୟ ୱେବସାଇଟ ମର୍ଣ୍ଣିଂ କଣ୍ଟେକ୍ସଟରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଭାରତ ସରକାର ଅଧିକାରୀଙ୍କୁ ଆମାଜନର କିଛି ପ୍ରତିନିଧି ଲାଞ୍ଚ ଦେଇଛନ୍ତି । ଲାଞ୍ଚ କାରବାର ସମ୍ପର୍କରେ ଜଣେ ହ୍ୱିସଲବ୍ଲୋୟେର ପ୍ରଥମେ ଅଭିଯୋଗ ଆଣିଥିଲେ। ଯଦି ଏହା ସତ ହୁଏ ତେବେ ଆମାଜନ ବିରୋଧରେ ତଦନ୍ତ ହେବ ବୋଲିି ସୂଚନା ମିଳିଛି ।
ଅନ୍ୟପକ୍ଷରେ ସିଏଆଇଟି ପକ୍ଷରୁ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏଥିପାଇଁ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ଲାଞ୍ଚ କାରବାରରେ ସଂପୃକ୍ତ ଥିବା ଅଧିକାରୀଙ୍କ ନାଁ ସାର୍ବଜନୀନ କରି ସେମାନଙ୍କୁ ଦଣ୍ଡ ଦେବା ସପକ୍ଷରେ ସିଏଆଇଟି ମତ ରଖିଛି।
ଭାରତର ଜଣେ ଅଧିକାରୀ କହିଛନ୍ତି, ଦୁର୍ନୀତି ବିରୋଧରେ ଭାରତ ସରକାର ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି। ସରକାରୀ ସ୍ତରରେ କୌଣସି ପ୍ରକାରର ଦୁର୍ନୀତିକୁ କେବେ ହେଲେ ସହ୍ୟ କରାଯିବ ନାହିଁ। ଆମାଜନ ପ୍ରାୟ ୮,୫୦୦ କୋଟି ଟଙ୍କାର ଲିଗାଲ ଫି' ବାବଦରେ ଖର୍ଚ୍ଚ କରିଛି। ଏବେ ଏତେ ପରିମାଣର ଟଙ୍କା କୁଆଡ଼େ ଯାଇଛି, ତା' ସବୁଠାରୁ ବଡ଼ କଥା। ଆମାଜନକୁ ସମାଲୋଚନା କରି ଅଧିକାରୀ ଜଣଙ୍କ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି।
Powered by Froala Editor