ୟୁପି ଦେଇ ଓଡିଶା ଆସୁଥିଲା ପାକିସ୍ଥାନ ଟଙ୍କା!
ଧୀରେଧୀରେ ଗୁପ୍ତଚରଙ୍କ ଗୁମର ଫିଟୁଛି । ଚାନ୍ଦିପୁର ଗୁପ୍ତଚରଙ୍କୁ ରିମାଣ୍ଡରେ ନେଇ ଜେରା ଚାଲିଥିବା ବେଳେ ଅନେକ ଗୁପ୍ତ ତଥ୍ୟ ସାମ୍ନାକୁ ଆସୁଛି । ପାକିସ୍ଥାନ ଟଙ୍କା ୟୁପି ଦେଇ ଓଡିଶା ଆସୁଥିଲା ବୋଲି ଜଣାପଡିଛି । ପାକିସ୍ତାନୀ ଏଜେଣ୍ଟଙ୍କ ସହ ଏମାନେ କିଭଳି ସଂପର୍କ ସ୍ଥାପନ କଲେ ସେନେଇ ଅଧିକ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ୟୁପିରେ ଥିବା ପାକିସ୍ତାନ ଏଜେଣ୍ଟଙ୍କ ପାଖକୁ ଟଙ୍କା ଆସୁଥିଲା ଓ ଏହି ଜରିଆରେ ଚାନ୍ଦିପୁର ଗୁପ୍ତଚରଙ୍କ ପାଖକୁ ଟଙ୍କା ଆସୁଥିଲା । ଯାହା ବାଲେଶ୍ୱର ଚାନ୍ଦିପୁରରେ ରହି ପାକିସ୍ତାନ ପାଇଁ କାମ କରୁଥିବା ଏହି ଦେଶଦ୍ରୋହୀଙ୍କ ପାଖରେ ପହଞ୍ଚି ଯାଉଥିଲା । ସେହିପରି ବାଲେଶ୍ୱରରେ ଥିବା କିଛି ବାଂଲାଦେଶୀ ଶରଣାର୍ଥୀ ପାକିସ୍ତାନର ସ୍ଲିପର ସେଲ ଭଳି କାମ କରୁଥିଲେ ବୋଲି କ୍ରାଇମବ୍ରାଂଚ ସନେ୍ଦହ କରୁଛି । ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାକିସ୍ତାନରୁ ଟଙ୍କା ଆସୁଥିବା କୁହାଯାଉଛି । ଯାହା ଚାନ୍ଦିପୁର ଗୁପ୍ତଚରଙ୍କ ପାଖକୁ ଯାଇଛି ।
ତେବେ ନିର୍ଦ୍ଧିଷ୍ଟ କେତେ ଜଣଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି ସେନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ତଥ୍ୟ ମଗାଯାଇଛି ।
ତେବେ ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହୋସ୍ମ ଏବଂ ଅନ୍ୟ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି । ସେହି ଆଶଙ୍କାରେ ଚାନ୍ଦିପୁର ଗୁପ୍ତଚରଙ୍କୁ ଜେରା କରିବା ପାଇଁ କଟକ କ୍ରାଇମବ୍ରାଂଚ କାର୍ୟ୍ୟାଳୟରେ ଭାରତୀୟ ବାୟୁସେନାର ଏକ ୩ ଜଣିଆ ଟିମ୍ ପହଂଚିଛି ।
Powered by Froala Editor