ହାଇକୋର୍ଟଙ୍କ ରାୟ ପରେ ଚାରିଧାମ ଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ

ଗୁରୁବାର ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଚାରିଧାମ ଯାତ୍ରା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ତେଣୁ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ ନେଇଛନ୍ତି, ସେମାନେ ନେଗେଟିଭ୍ ରିପୋର୍ଟ ଦେଖାଇ ଯାତ୍ରାରେ ସାମିଲ ହୋଇପାରିବେ । ଯାତ୍ରା ବେଳେ କରୋନା ନିୟମ କଡାକଡି ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଗନ୍ତୁକଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତୀର୍ଥଯାତ୍ରା ଉପରେ ପ୍ରତିବନ୍ଧକ ହଟାଇବା ପାଇଁ ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଚାରିଧାମ ମଧ୍ୟରୁ କେଦରାନାଥକୁ ପ୍ରତିଦିନ ୮୦୦ ଜଣ, ବଦ୍ରୀନାଥକୁ ୧୨୦୦, ଗଙ୍ଗୋତ୍ରୀକୁ ୬୦୦ ଓ ଯମୁନୋତ୍ରକୁ ୪୦୦ ଯାତ୍ରୀ ଦର୍ଶନ ଅନୁମତି ମିଳିବ । ଏଥିସହିତ ଯାତ୍ରୀଙ୍କୁ ମନ୍ଦିର ଆଖପାଖରେ ଥିବା ଝରଣାରେ ସ୍ନାନ କରିବାକୁ ଅନୁମତି ଦିଆଯିବନାହିଁ ।
ଚାରିଧାମ ଯାତ୍ରା ନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା । ବହୁ ଲୋକଙ୍କ ଜୀବନଜୀବିକା ଏଥିରେ ନିର୍ଭର କରୁଥିବାରୁ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଥିଲା । ଯାତ୍ରା ବନ୍ଦ ହେବା ଦ୍ୱାରା ଆଖପାଖ ଲୋକେ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିଲେ । ତେଣୁ କୋର୍ଟ ଲୋକଙ୍କ ପରିସ୍ଥିତି ଦେଖି ଅନୁମତି ପ୍ରଦାନ କରିଛନ୍ତି ।
Powered by Froala Editor