ରାଜ୍ୟକୁ ପୁଣି ଫେରୁଛି ତାତି, ୪୪ ଡିଗ୍ରୀ ଛୁଇଁବ ପାରଦ

ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ତାତିର ପ୍ରକୋପ ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ ସହିତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ହେବ | ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ତାପାମତ୍ରା ଆଉ ୪ ଡିଗ୍ରୀ ବୃଦ୍ଧି ପାଇବ । ଅର୍ଥାତ ରାଜ୍ୟର କିଛି ସହରରେ ତାପମାତ୍ରା ୪୩ରୁ ୪୪ ଡିଗ୍ରି ଛୁଇଁଯିବ। ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ଠାରେ ୪୦.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାଲକାନଗିରି, ବାରିପଦା ଓ ଝାରସୁଗୁଡ଼ା ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ଆସନ୍ତାକାଲି ଭୁବନେଶ୍ୱରର ତାପାମତ୍ରା ୪୦ରୁ ୪୧ ଡିଗ୍ରୀ ରହିବ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀର ଆଶଙ୍କା ରହିଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ହୋଇପାରେ । ଏଥିସହ ୨୦ ତାରିଖରେ କୋରାପୁଟ, ଗଜପତି, ରାୟଗଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।