ଆସନ୍ତା ଅକ୍ଟୋବର- ନଭେମ୍ବର ମାସ ଅତି ଗୁରୁତ୍ୱପୂର୍ଣ୍ଣ, ହୋଇପାରେ ଅଧିକ ସଂକ୍ରମଣ
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର- ନଭେମ୍ବର ମାସ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ୨ଟି ମାସରେ ସଂକ୍ରମଣ ବିପଦ ଅଧିକ ରହିବ ବୋଲି ନିତି ଆୟୋଗ ସଦସ୍ୟ ଏବଂ ଜାତୀୟ କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ଡାକ୍ତର ଭି କେ ପଲ କହିଛନ୍ତି । ବିଭିନ୍ନ ଆକଳନରୁ ଏହା ଜଣାପଡ଼ିଛି ବୋଲି ସେ କହିଛନ୍ତି । ଦେଶରେ କୋଭିଡ ସ୍ଥିତି ସଂକ୍ରାନ୍ତରେ ଏକ ବିବୃତି ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, କେରଳରେ ସଂକ୍ରମଣ କମୁଛି । କିନ୍ତୁ କେରଳରେ ଏବେ ବି ଦେଶର ୬୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି । ଗତ ସପ୍ତାହରେ ଦେଶରେ ମୋଟ ୬୭.୭୯ ପ୍ରତିଶତ ମାମଲା କେରଳରୁ ଚିହ୍ନଟ ହୋଇଥିଲା । କେରଳରେ ୧.୯୯ ଲକ୍ଷ ସକ୍ରିୟ ମାମଲା ରହିଛି । ଅନ୍ୟ ୫ ଟି ରାଜ୍ୟ ମିଜୋରାମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ରରେ ୧୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ଆସନ୍ତା ପାର୍ବଣ ଋତୁ ପାଇଁ ସରକାର ସଚେତନ କରିଛନ୍ତି । ଗହଳିରୁ ଦୂରେଇ ରହିବା ପାଇଁ ସର୍ବାଧିକ ସତର୍କ ରହିବାକୁ ସରକାର କହିଛନ୍ତି । ମିଜୋରାମ ସ୍ଥିତି ଚିନ୍ତାଜନକ ବୋଲି ଡାକ୍ତର ପଲ କହିଛନ୍ତି । ତେବେ ଦ୍ରୁତ ଟିକାକରଣ ଏବଂ କୋଭିଡ ନିୟମାବଳି ପାଳନ ଦ୍ୱାରା ମିଜୋରାମ ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିବ ବୋଲି ସେ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗୁରୁବାର ଦେଶରେ ୩୦,୫୭୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୩୩,୪୭,୩୨୫ । ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ୩, ୪୯,୯୨୩ ରହିଛି । ୪୩୧ ଦୈନିକ କୋଭିଡ ମୃତୁ୍ୟ ସହ ଦେଶରେ ମୋଟ କରୋନା ମୃତୁ୍ୟ ସଂଖ୍ୟା ୪,୪୩,୯୨୮ ପହଞ୍ଚିଛି ।
Powered by Froala Editor