ଏନସିସିରେ ସଂସ୍କାର ଆସିବ : ବୈଜୟନ୍ତଙ୍କ ସହ ଆନନ୍ଦ ମହିନ୍ଦ୍ରା ଓ ଧୋନୀଙ୍କୁ ଗୁରୁ ଦାୟିତ୍ୱ

ପ୍ରତିରକ୍ଷା ମନ୍ତ୍ରଣାଳୟ ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ କ୍ୟାଡେଟ୍ କର୍ପସ୍ (NCC) କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ପ୍ରତିରକ୍ଷା ମନ୍ତ୍ରାଳୟ ଜାତୀୟ କ୍ୟାଡେଟ୍ କର୍ପସ୍ ବା ଏନସିସିକୁ ବ୍ୟାପକ ରୂପେ ସଂସ୍କାର କରିବାକୁ ବୈଜୟନ୍ତଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି। ଏନସିସିର ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ଏହି କମିଟି ଏନସିସିର କାର୍ଯ୍ୟକୁ ବିସ୍ତୃତ ଭାବରେ ସମୀକ୍ଷା କରିବ । ଏହି କମିଟିରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ସାଂସଦ ବିନୟ ସହସ୍ରାବୁଦ୍ଧେ ଏବଂ ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ସାମିଲ ହୋଇଛନ୍ତି।
ନୂଆ ଦାୟିତ୍ୱ ମିଳିବା ପରେ ଶ୍ରୀ ପଣ୍ଡା ଟ୍ୱିଟ୍ କରି ଲେଖିଛନ୍ତି, ଯୁବ ଯୁବ ସଶକ୍ତୀକରଣ, ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ରୀୟ ଏକତା ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଏନସିସିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଆକାର ନେଉଛି। ସେ ଆହୁରି ଲେଖିଛନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତଥା ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ କାମ କରିବାର ସମ୍ମାନ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରତି ଗଭୀର କୃତଜ୍ଞ।
ସୂଚନା ଥାଉ କି ଯେ ନ୍ୟାସନାଲ କ୍ୟାଡେଟ୍ କର୍ପସ୍ ଆକ୍ଟ ମାଧ୍ୟମରେ ୧୬ ଜୁଲାଇ ୧୯୪୮ରେ ଦେଶରେ ଏନସିସି ଗଠନ କରାଯାଇଥିଲା। ଯୁବବର୍ଗଙ୍କୁ ସୁରକ୍ଷା ଏବଂ ନିରାପତ୍ତା ସହ ଅନୁଶାସନ ବିଷୟରେ ଅବଗତ କରାଇବା, ଏହାର ଉଦ୍ଦେଶ୍ୟ ରହିଛି ।
Powered by Froala Editor