ଡିଆରଡିଓ ତଥ୍ୟ ଲିକ ଘଟଣାରେ ଆଉ ଜଣେ ଗିରଫ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟରେ ଥିବା ଡିଆରଡିଓର ତଥ୍ୟ ଲିକ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବାବେଳେ ଆଜି ଏକ ତଦନ୍ତକାରୀ ଟିମ ବାଲେଶ୍ୱରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ମାମଲାରେ ଆଉ ଜଣକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ସଚିନ କୁମାର ଓରଫ ଛେତା । ସଚିନ ଡିଆରଡିଓରେ ଜଣେ ଡ୍ରାଇଭରଭାବେ କାମ କରୁଥିଲେ । ପୂର୍ବରୁ ଡିଆରଡିଓର ତଥ୍ୟ ପାକିସ୍ତାନର ଆଇଏସଆଇକୁ ଦେବା ଅଭିଯୋଗରେ ବାଲେଶ୍ୱର ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ଫଳରେ ତଥ୍ୟ ଲିକ ଘଟଣାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
ପୂର୍ବରୁ ଗିରଫ ଠିକା କର୍ମଚାରୀମାନେ ହେଲେ ବସନ୍ତ ବେହେରା, ପ୍ରକାଶ ବେହେରା, ସେକ୍ ମୁଶାକ। ଗିରଫ ସମସ୍ତ ବ୍ୟକ୍ତିଙ୍କ ଘର ଚାନ୍ଦିପୁର ନିକଟ ଝାମ୍ପୁରା ହାଟ ଅଞ୍ଚଳରେ। ସେମାନଙ୍କ ମଧ୍ୟରୁ ବସନ୍ତ ଲଞ୍ଚ ପ୍ୟାଡ୍-୩ରେ ଏସି ଅପରେଟର ଭାବେ କାର୍ୟ୍ୟ କରୁଥିବା ଜଣାପଡ଼ିଛି। ସୂଚନା ମୁତାବକ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପ୍ରତିରକ୍ଷା ତଥ୍ୟ ଚୋରି ହେଉଥିବା ଖବର କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ରାଜ୍ୟ ପୁଲିସକୁ ଦେଇଥିଲା । ପ୍ରତିରକ୍ଷା ଘାଟିର ବସନ୍ତ ବେହେରା ନିୟମିତ ଭାବେ ରାଜସ୍ଥାନ ସୀମାକୁ ଫୋନ୍ କରୁଥିବା ଏବଂ ସେମାନଙ୍କ ନିକଟକୁ ମଧ୍ୟ ଇଣ୍ଟରନ୍ୟାସନାଲ
ଫୋନ୍ କଲ୍ ଆସୁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା ।
କେନ୍ଦ୍ରୀୟ ସଂସ୍ଥାର ପରାମର୍ଶ କ୍ରମେ ରାଜ୍ୟ ଗୁଇନ୍ଦା ବିଭାଗ ସମସ୍ତ କର୍ମଚାରୀଙ୍କ ଉପରେ ନଜର ରଖି ସେମାନଙ୍କ ଫୋନ୍ କଲ୍କୁ ଟ୍ରାକ୍ କରିଥିଲା। କେବଳ ବସନ୍ତ ନୁହେଁ। ସେଠାରେ କାମ କରୁଥିବା ଅନ୍ୟ ୩ ଜଣଙ୍କ ମୋବାଇଲକୁ ମଧ୍ୟ ଇଣ୍ଟରନ୍ୟାସନାଲ କଲ୍ ଆସୁଥିଲା। ସେମାନେ ମଧ୍ୟ ସେହିସବୁ ନମ୍ବରରେ ବାରମ୍ବାର କଲ୍ କରିଥିଲେ। ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଅତ୍ୟନ୍ତ ଗୋପନୀୟ ତଥ୍ୟ ସେମାନେ ପ୍ରଦାନ କରୁଥିବା ଗୁଇନ୍ଦା ବିଭାଗ ସନ୍ଦେହ କରିଥିଲା।
ରାଜ୍ୟ ଗୁଇନ୍ଦା ବିଭାଗ ତଥ୍ୟ ମୁତାବକ ପୂର୍ବାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶରେ ଚାନ୍ଦିପୁର ପୁଲିସ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସୋମବାର ରାତିଅଧିଆ ଚଢ଼ଉ କରି ୫ ଜଣଙ୍କୁ ଉଠାଇ ଆଣିଥିଲା । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଜଣକୁ ଛାଡ଼ି ଦିଆଯାଇଥିଲା ।
Powered by Froala Editor