ପିପିଲି ଉପନିର୍ବାଚନ, ୨୦ରୁ ୨୮ ବିଜେଡି କରିବ ପ୍ରଚାର
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇସାରିଲେଣି । ଗତ ମଙ୍ଗଳବାର ବିଜେପି ନିଜର ତାରକା ପ୍ରଚାରକ ତାଲିକା ପ୍ରକାଶ କରି ସାରିଥିବା ବେଳେ ବୁଧବାର ବିଜେଡି ଓ କଂଗ୍ରେସ ନିଜର ତାଲିକା ପ୍ରକାଶ କରିଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ମଇଦାନକୁ ଓହ୍ଲାଉଥିବା ବେଳେ କୌଣସି ସିନେ ଅଭିନେତାଙ୍କୁ ଏଥିରେ ସ୍ଥାନ ମିଳିନାହିଁ । ତେବେ ଆସନ୍ତା ୨୦ରୁ ୨୮ ପର୍ଯ୍ୟନ୍ତ ପିପିଲିରେ ବିଜେଡି ପକ୍ଷରୁ ପ୍ରଚାର କରାଯିବ । ଆଜି ବିଜେଡିର ଏକ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।
ସେ କହିଛନ୍ତି ଯେ, ଆସନ୍ତା ୨୦ରୁ ୨୮ ତାରିଖ ଯାଏ ବିଜେଡି ପ୍ରଚାର କରିବ । ମୁଖ୍ୟମନ୍ତ୍ରୀ ପିପିଲି ଯିବେ କି ଭର୍ଚୁଆଲରେ ପ୍ରଚାର କରିବେ ସେ ସମ୍ପର୍କରେ କିଛି ସ୍ଥିର ହୋଇନାହିଁ । ବଡ଼ ମିଟିଂ ନକରି ୱାର୍ଡସ୍ତରରେ ଛୋଟ ମିଟିଂ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି । ଆସନ୍ତା ୩୦ ତାରିଖରେ ଏଠାରେ ମତଦାନ ହେବ । ପୂର୍ବରୁ ଦୁଇ ଥର ଉପନିର୍ବାଚନ ତାରିଖ ଘୋଷଣା ହେଲା ପରେ ଘୁଞ୍ଚିଛି । ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହେଇଯିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଦ୍ୱିତୀୟ ଥର ତାରିଖ ଘୋଷଣା ହୋଇଥିଲେ ବି କୋଭିଡ ଦ୍ୱିତୀୟ ଲହର ଯୋଗୁ ଉପନିର୍ବାଚନକୁ ପୁନର୍ବାର ସ୍ଥଗିତ ରଖାଯାଇଥିଲା ।
Powered by Froala Editor