କୁମ୍ଭମେଳାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କଟକଣା: ଆର୍ଟିପିସିଆର ରିପୋର୍ଟ ଦେବେ ଓ କ୍ୱାରେଣ୍ଟାଇନରେ ରହିବେ

ହରିଦ୍ବାର କୁମ୍ଭମେଳାରେ ସାମିଲ ହୋଇ ରାଜ୍ୟକୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ଏନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି) ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଶ୍ଚିତ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ। ସେମାନେ ନିଜ ଘର ହେଉ ଅବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଗାଇଡଲାଇନ୍ ଅନୁସାରେ ଯେଉଁ ଶ୍ରଦ୍ଧାଳୁମାନେ କୁମ୍ଭମେଳାରେ ଅଂଶଗ୍ରହଣ କରି ରାଜ୍ୟକୁ ଫେରୁଛନ୍ତି, ସେମାନେ ବାଧ୍ୟତାମୂଳକ ଭାବେ ଆରଟିପିସିଆର ପରୀକ୍ଷା କରିବେ। ବିମାନ ଅଥବା ଟ୍ରେନ୍ରେ ଫେରିବା ପୂର୍ବରୁ ଆରଟିପିିସିଆର ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ହୋଇଛି।
କୁମ୍ଭମେଳାରେ ସାମିଲ ପାଇଁ ଉତ୍ତରାଖଣ୍ଡ ସରକାରରେ ପଞ୍ଜିକୃତ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କ ତାଲିକାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ୍ତ କୁମାର ଜେନା ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ପ୍ରଦାନ କରିଛନ୍ତି। କୁମ୍ଭମେଳାରେ ସାମିଲ ହୋଇଥିବା ସମସ୍ତ ପଞ୍ଜିକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କର ଗସ୍ତ ବିବରଣୀ ହାସଲ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେହି ବ୍ୟକ୍ତିମାନେ ଟ୍ରେନ ଓ ବିମାନରେ ଓଡ଼ିଶା ଆସିବା ପୂର୍ବରୁ ଆରଟିପିସିଆର ପରୀକ୍ଷା ରିପୋର୍ଟ ଧରି ଯେଭଳି ଆସିବେ ତାହା ସେମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି ।