ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ଚଢ଼ାଉ

ବଲିଉଡ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ କରିଛି । ତାଙ୍କ ପ୍ରପର୍ଟି ଆକାଂଉଟ ବୁକରେ ହେରଫେର ଥିବା ଅଭିଯୋଗ ଆସିବା ପରେ ଆଇଟି ବିଭାଗ ଏହାର ଯାଂଚ ଆରମ୍ଭ କରିଛି । ସୋନୁ ସୁଦଙ୍କ କମ୍ପାନୀ ଏବଂ ଲକ୍ଷ୍ନୌସ୍ଥିତ ରିଏଲ୍ ଇଷ୍ଟେଟ୍ କମ୍ପାନି ମଧ୍ୟରେ ନିକଟରେ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି। ତେବେ ଆୟକର ବିଭାଗ ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ତାଙ୍କର କୌଣସି ସାମଗ୍ରୀ ଜବତ କରାଯାଇ ନାହିଁ । ସମ୍ପୂର୍ଣ୍ଣ ଯାଂଚ ସରିବା ପରେ ଏ ସମ୍ପର୍କରେ ଆୟକର ବିଭାଗ ଜଣାଇବ ବୋଲି କହିଛି ।
କରୋନା ମହାମାରୀ ସମୟରେ ସୋନୁ ସାଧାରଣ ଜନତାଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ତାଙ୍କ ଫଣ୍ଡିଂ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହେଲେ ଗତ କିଛି ଦିନ ତଳେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ତାଙ୍କୁ ସ୍କୁଲ ପିଲାଙ୍କ ଏକ କାର୍ଯ୍ୟକ୍ରମରେ ବ୍ରାଣ୍ଡ ଆମ୍ବାସାଡର କରିଥିଲା । ବାସ୍ ଏହାର କିଛି ଦିନ ପରେ ଆୟକର ବିଭାଗ ସୋନୁ ସୁଦଙ୍କ ଘରେ ଚଢ଼ାଉ କରିଛି । ତେବେ ଆୟକର ବିଭାଗର ଏହି ଚଢ଼ାଉକୁ ନେଇ ମଧ୍ୟ ସୋନୁ ସୁଦ୍ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।
Powered by Froala Editor