ତାଲିବାନକୁ ସମର୍ଥନ କରୁଛି ଚୀନ, ଜାଣନ୍ତୁ କାରଣ
ତାଲିବାନ ଅଫଗାନିସ୍ଥାନକୁ ଦଖଲ କଲାପରେ ସେଠାରେ ସେ ନୂଆ ସରକାର ଗଠନ କରିଛି । ଏହି ସରକାରରେ ଅନେକ ନୂଆ ନିୟମ ଲାଗୁ କରିଛି ତାଲିବାନ । ଏଥିପାଇଁ ଆଫଗାନିସ୍ଥାନର ବାସିନ୍ଦା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାରି ଭିତରେ ତାଲିବାନକୁ ଚୀନ ଓ ପାକିସ୍ତାନ ଉଭୟ ରାଷ୍ଟ୍ର ସମର୍ଥନ ଦେଇ ଆସୁଥିବା କଥା କୁହାଯାଉଛି । ଏହି ସମର୍ଥନ ପଛରେ ଚୀନର କିଛି ମନ୍ଦ ଉଦେ୍ଧଶ୍ୟ ରହିଛି ବୋଲି ଜଣାପଡିଛି, ଯାହାକି ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି । ଗତ ୨୦୧୯ ମସିହାରେ ଚୀନ ତାଲିବାର ନିକଟତର ହେବା ପରେ ମୁଲ୍ଲା ଅବଦୁଲ ଗନି ବରାଦର ଚୀନ୍ ଗସ୍ତ କରିଥିଲେ । ସେ ସମୟରେ ତାଲିବାନ ଓ ଚୀନ ମିଳିତ ଭାବେ ଆମେରିକା ସହ ଶାନ୍ତି ବଜାୟ ରଖିବା ନେଇ ଆଲୋଚନା କରିଥିବା ଶୁଣାଯାଉଛି ।
ଏନେଇ କିଛି ବିଶେଷଜ୍ଞ କହିଛନ୍ତି ଉଭୟ ତାଲିବାନ ଓ ଚୀନ ପରସ୍ପର ପ୍ରତି ନିର୍ଭରଶୀଳ । ଆଫଗାନିସ୍ତାନରେ ୧ ଟ୍ରିଲିୟନ ଡଲାରରର ବହୁମୂଲ୍ୟ ଖଣିଜ ଭଣ୍ଡାର ରହିଥିବା ଅନୁମାନ କରାଯାଉଛି । ଉଚ୍ଚ ଆବଡା ଖାବଡା ପାହାଡ ଗୁଡିକରୁ ଖଣିଜ ସମ୍ପଦ ଉତ୍ତୋଳନ କରିବାର ଟେକ୍ନିକ ଚୀନକୁ ଜଣାଅଛି । ତେଣୁ ଚୀନ ସହାୟତାରେ ଏହି ସମ୍ପଦକୁ ବାହାର କରି ରାଜସ୍ୱ ଅର୍ଜନ କରିବା ତାଲିବାନ ଲକ୍ଷ୍ୟ ରଖିଛି । କାରଣ ନିଜର ସରକାରକୁ ଚଳାଇବା ସକାଶେ ତାଲିବାନକୁ ରାଜସ୍ୱର ଆବଶ୍ୟକତା ରହିଛି ।
ଆମେରିକା ସୈନ୍ୟ ଆଫଗାନିସ୍ତାନରେ ଥିବାବେଳେ ଚୀନ ନିରବ ରହୁଥିଲା । ଫଳରେ ଭାରତ ଆଫଗାନିସ୍ତାନରେ ନିବେଶ କରିପାରୁଥିଲା । ମାତ୍ର ଏବେ ପରିସ୍ଥିତି ଭିନ୍ନ ଥିବାରୁ ପାକିସ୍ତାନ ଓ ଚୀନ ଆଫଗାନିସ୍ତାନରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି । ଯଦି ଚୀନ ଓ ପାକ୍ ତାଲିବାନ ସହ ମିଶି ଜମ୍ମୁ-କଶ୍ମୀରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି, ତେବେ ତାହା ଭାରତ ପାଇଁ ବିପଦ ଆଣିବ । ତେଣୁ ଏ କ୍ଷେତ୍ରରେ ଭାରତ ସୁଚିନ୍ତିତ ରଣନୀତି ଆପଣାଇବା ଉଚିତ୍ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।
Powered by Froala Editor