ବିଜୟ ରୂପାଣୀଙ୍କ ବୟାନକୁ ନେଇ ଚର୍ଚ୍ଚା ଯୋର, ଜାଣନ୍ତୁ କ’ଣ
ଗାନ୍ଧୀନଗର: ଗୁଜୁରାଟର ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଅନେକ କିଛି କଥା କହିଛନ୍ତି ରୂପାଣୀ । ରୂପାଣୀ କହିଛନ୍ତି ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ, ଏବେବି ଅଛନ୍ତି ଓ ଆଗକୁ ମଧ୍ୟ ରହିବେ। ଅର୍ଥାତ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ସାଧାରଣ ଲୋକ। କେବଳ ପଦ ଥିଲେ ଯେ କ୍ଷମତା ଥିବ ତାହା ନୁହେଁ । ରୂପାଣୀଙ୍କ ଭାଷାରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା, ନଦେବା କିଛି ସମସ୍ୟା ନାହିଁ। ସେ ଲୋକଙ୍କ ସେବା କରୁଛନ୍ତି କରିବେ। ଦଳ ତାଙ୍କୁ ଯେଉଁ ସୁଯୋଗ ଓ ସମ୍ମାନ ଦେଇଛି ସେଥିପାଇଁ ସେ କୃତଜ୍ଞ । ଦଳ ଯାହା ଦାୟିତ୍ବ ଦେବ ତାହାକୁ ସେ ଗ୍ରହଣ କରିବେ। ଆଗାମୀ ନିର୍ବାଚନରେ ଦଳ କିଭଳି କ୍ଷମତା ବଜାୟ ରଖିବ ତାହା ପାଇଁ ସେ କଠୋର ପରିଶ୍ରମ କରିବେ ।ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ରୂପାଣୀ କହିଛନ୍ତି, ପୂର୍ବ ରାତିରେ ତାଙ୍କୁ ଫୋନ କରି ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦଳ ସଂଗଠନ ଓ ପ୍ରଶାସନର ଆବଶ୍ୟକତାକୁ ଅନୁଭବ କରି ଦଳ ଏହି ନିଷ୍ପତ୍ତି ନେଇଛି । ବିଜେପି ବିଶ୍ବର ସର୍ବବୃହତ ରାଜନୈତିକ ଦଳ । ଦଳ ପାଇଁ ଅନେକ ଲୋକଙ୍କୁ, ଅନେକ କିଛି ତ୍ୟାଗ କରିବାକୁ ପଡେ। ଦଳର ବିଚାରଧାରା ହିଁ ଦଳର ସମ୍ପଦ। ମୁଖ୍ୟମନ୍ତ୍ରୀ ଯିବ ଆସିବ, ଏଥିରେ କିଛି ଅବଶୋଷ ନାହିଁ । ବରଂ ଦଳ ମତେ ଯେଉଁ ସମ୍ମାନ ସୁଯୋଗ ଦେଇଛି ଦଳ ପ୍ରତି ମୁଁ କୃତଜ୍ଞ। ଆଗାମୀ ଦିନରେ ଦଳ ଯାହା ନିର୍ଦ୍ଦେଶ ଦେବ ତାହାକୁ ମୁଁ ଗ୍ରହଣ କରିବି। ସେହିପରି ମୋଦି-ଶାହାଙ୍କ ସମ୍ପର୍କରେ ରୂପାଣୀ କହିଛନ୍ତି, ଉଭୟ ଗୁଜୁରାଟର ଅଭିମାନ। ଉଭୟଙ୍କ ପାଇଁ ଆଜି ରାଜ୍ୟ ଗର୍ବିତ। ଆମେ ସୌଭାଗ୍ୟଶାଳୀ କି ଦେଶର ନେତୃତ୍ବ ଆମ ପ୍ରଦେଶରୁ ପ୍ରତିନିଧିତ୍ବ କରୁନ୍ତି । ଉଭୟଙ୍କ ପ୍ରତି ଗୁଜୁରାଟବାସୀଙ୍କ ଅଖଣ୍ଡ ସମ୍ମାନ ଶ୍ରଦ୍ଧା ଓ ବିଶ୍ବାସ ରହିଛି। ସେଥିପାଇଁ ଦଳକୁ ବାରମ୍ବାର ଲୋକେ ନିର୍ବାଚିତ କରୁଛନ୍ତି । ଆମର ବିଶ୍ବାସ ଗୁଜୁରାଟ ପରିପ୍ରେକ୍ଷୀରେ ସେମାନେ(ମୋଦି-ଶାହା) କେବେ ଭୂଲ ନିଷ୍ପତ୍ତି ନେବେ ନାହିଁ ।
Powered by Froala Editor