ରାଜ୍ୟସଭା ପାଇଁ ସୁସ୍ମିତା ଦେବଙ୍କୁ ମନୋନୀତ କଲା ଟିଏମସି

ଆସାମ ସିଲଚର ଆସନର ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କୁ ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ପାଇଁ ମନୋନୀତ କରିଛି। ଏ ସମ୍ପର୍କରେ ଟିଏମସିର ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଆମେ ବେଶ ଖୁସିର ସହ ସୁସ୍ମିତା ଦେବଙ୍କୁ ସଂସଦର ଉଚ୍ଚସଦନକୁ ମନୋନୀତ କରୁଛୁ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମମତା ବାନାର୍ଜୀ ଲକ୍ଷ୍ୟ ରଖିଛନ୍ତି। ଏଥିସହ ଅଧିକରୁ ଅଧିକ ମହିଳାଙ୍କୁ ରାଜନୀତିରେ ସାମିଲ ହେଲେ ଆମ ସମାଜ ଅଧିକ କିଛି ହାସଲ କରିପାରିବ ବୋଲି ଟିଏମସି ଟ୍ୱିଟ କରିଛି।
‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ସମୟରେ ସୁସ୍ମିତା ଦେବ କହିଛନ୍ତି, ମୁଁ ଆତ୍ମହରା ହୋଇପଡ଼ିଛି। ଅନ୍ତରରୁ ମୁଁ ମୋ ନେତ୍ରୀ ମମତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ସଂସଦରେ ଅଧିକ ନାରୀ ଦେଖିବା ନିମନ୍ତେ ତାଙ୍କ ବିଚାରଧାର ପ୍ରଶଂସନୀୟ। ମୁଁ ମୋର ପାରୁପର୍ଯ୍ୟନ୍ତ ସର୍ବୋତ୍ତମ କାର୍ଯ୍ୟ କରିବି। ଟିଏମସିର ଏପରି ଉପହାରକୁ ଟ୍ୱିଟ ଜରିଆରେ ସୁସ୍ମିତା ଦେବ ଧନ୍ୟବାଦ ଜଣାଇଛନ୍ତି।
ଟିଏମସିରୁ ମାନସ ରଞ୍ଜନ ଭୂୟାଁ ରାଜ୍ୟସଭାକୁ ଯାଇଥିଲେ। ତେବେ ସେ ଇସ୍ତଫା ଦେଇଥିବାରୁ ଏହି ପଦ ଖାଲି ପଡ଼ିଛି। ଏବେ ତାଙ୍କ ସ୍ଥାନରେ ସୁସ୍ମିତା ଦେବ ରାଜ୍ୟସଭାକୁ ଯିବେ। ଏଥିପାଇଁ ଅକ୍ଟୋବର ୪ରେ ନିର୍ବାଚନ ହେବ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ମୋହନ ଦେବ ଓ ପୂର୍ବତନ ବିଧାୟକ ବିତିକା ଦେବଙ୍କ ଝିଅ ହେଉଛନ୍ତି ସୁସ୍ମିତା ଦେବ। ସେ ଆସାମର ସିଲଚାରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନ ବେଳେ ସେ ସିଲଚାରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ବିଜେପିର ରାଜଦୀପ ରୟଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।
Powered by Froala Editor