ଭୁଶୁଡ଼ିଲା ତିନି ମହଲା କୋଠା
ଉତ୍ତରଦିଲ୍ଲୀରେ ପରିବା ମଣ୍ଡି ଅଞ୍ଚଳରେ ତିନିମହଲା କୋଠା ଭୁଶୁଡ଼ି ପଡ଼ିଛି। ବିଲଡିଂ ଭୁଶୁଡ଼ିବା ଯୋଗୁ ଅନେକ ଲୋକ ଏହା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ବିଲଡିଂ ତଳୁ ଉଦ୍ଧାର ହୋଇଥିବା ୨ ଜଣ ଛୋଟ ପିଲା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। କୋଠା ଭୁଶୁ଼ଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ, କୋଠାଟି ପ୍ରାୟ ୫୦ ବର୍ଷ ତଳର ଓ ତଳ ମହଲାରେ ଥିବା ଦୋକାନରେ କିିଛି ନିର୍ମାଣ କାର୍ଯ୍ୟ ଚାଲିଥିବା କୁହାଯାଇଛି। ତେବେ କୋଠା ଭୁଶୁଡିବାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ରାଜଧାନୀ ଦିଲ୍ଲୀର ମଲକା ଗଞ୍ଜ ଅଞ୍ଚଳରେ ଏହି ପରିବା ମଣ୍ଡିଟି ରହିଛି। ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଥିଲା। ଏହି କାରଣରୁ ଆଜି ବିଲଡିଂଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଆଜି ଅପରାହ୍ନ ୧୧.୫୦ରେ ପୁଲିସ୍ ବିଲଡିଂ ଭୁଶୁଡ଼ିବା ସମ୍ପର୍କରେ ଖବର ପାଇଥିଲା। ଯେଉଁ ଦୋକାନରେ କାମ ଚାଲୁଥିଲା, ସେହି ଦୋକାନ ମାଲିକଙ୍କ ବିରୋଧରେ ଧାରା ୩୦୪ରେ ମାମଲା ରୁଜୁ କରାଯାଇଛି। ଏଥିସହିତ କୋଠା ତଳେ କାମ କରୁଥିବା ଶ୍ରମିକ ବି ଏଥିରେ ଦବି ରହିଥିବା ଆଶଙ୍କା କରାଯାଉଛି। ବିଲଡିଂ ଭୁଶିଡ଼ା ଯୋଗୁ ଗୋଟିଏ କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପରିବା ମଣ୍ଡିରେ ବିଲଡିଂ ଭୁଶୁଡ଼ିବା ଯୋଗୁ ଏହାର ଆଖପାଖରେ ଥିବା କୋଠା ଓ ପ୍ରତିଷ୍ଠାନଗୁଡ଼ିକ ଦୋହଲି ଯାଇଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ପରିବା ମଣ୍ଡି ଅଞ୍ଚଳରେ ବିଲଡିଂ ଭୁଶୁଡ଼ିବା ଅତ୍ୟନ୍ତ ଦୁଃଖଦ ଘଟଣା। ପ୍ରଶାସନ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛି। ମୁଁ ନିଜେ ପୂରା ଘଟଣାର ମନିଟରିଂ କରୁଛି।” ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏନଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
Powered by Froala Editor