ତାମିଲନାଡୁ ବିଧାନସଭାରେ ବିଲ୍ ପାରିତ : ମେଡିକାଲ ପାଠ୍ୟକ୍ରମରେ ନିଟ ପ୍ରବେଶିକା ପରୀକ୍ଷା ବାଧ୍ୟତାମୂଳକ ନୁହେଁ
ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ପ୍ରବେଶିକା ପରୀକ୍ଷା ଏଣିକି ବାଧ୍ୟତାମୂଳକ ନୁହେଁ । ନିଟ୍କୁ ଅଦରକାରୀ ଘୋଷଣା କରିବା ପାଇଁ ତାମିଲନାଡୁ ବିଧାନସଭାରେ ସ୍ୱତନ୍ତ୍ର ବିଲ୍ ପାରିତ ହୋଇଛି। Tamil Nadu Admission to Undergraduate Medical Degree Courses Bill ଜରିଆରେ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଆଉ ନିଟ୍ର ଆବଶ୍ୟକ ନାହିଁ ବୋଲି କୁହାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଟ ପ୍ରବେଶିକା ବାଧ୍ୟତାମୂଳକ ରଖାଯାଇଥିବା ବେଳେ ଏହା ବିରୋଧରେ ବିଲ ଆଣିଛନ୍ତି ତାମିଲନାଡୁ ରାଜ୍ୟ ସରକାର । ସୋମବାର ଅଣାଯାଇଥିବା ବିଲ୍ ଅନୁଯାୟୀ ଦ୍ୱାଦଶ ପାଶ କରିଥିବା ଛାତ୍ରଛାତ୍ରୀ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ଆଜି ବିଧାନସଭାରେ ବିଜେପିକୁ ଛାଡ଼ି ଆଉ ସବୁ ରାଜନୀତିକ ଦଳ ବିଲ୍କୁ ସମର୍ଥନ କରିଥିଲେ। ଏହି ବିଲ୍ କେନ୍ଦ୍ରୀୟ ଆଇନକୁ ଚ୍ୟାଲେଞ୍ଜ କରିଛି। ତେଣୁ ଏହା ଉପରେ ରାଷ୍ଟ୍ରପତି ମୋହର ମାରିବା ଜରୁରୀ। ଅନ୍ୟଥା ଏହା ଆଇନରେ ପରିଣତ ହୋଇପାରିବ ନାହିଁ।
ବିଲ୍ ପାରିତ ହେବା ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଜୁନ୍ ୫ରେ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟିର ଅଧ୍ୟକ୍ଷତା କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏକେ ରଞ୍ଜନଙ୍କୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନିଟ୍ର ପ୍ରଭାବ ଓ କୋଚିଂ ସେଣ୍ଟରଗୁଡ଼ିକ ଉପରେ ତର୍ଜମା କରିବାକୁ କହିଥିଲେ। କମିଟିର ରିପୋର୍ଟ ପରେ ତାମିଲନାଡୁ ସରକାର ତୁରନ୍ତ ନିଟ୍କୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେଇଥିଲେ।
Powered by Froala Editor