ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର ଓ ସୁନା ଇଟା ପାଇଥିବା ଦାବି କଲା ତାଲିବାନ

ଆଫଗାନିସ୍ତାନ ପୂର୍ବ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛି ତାଲିବାନ । ତାଲିବାନ ଦାବି କରିଛି ଯେ, ପଞ୍ଜଶୀର ଅଞ୍ଚଳରେ ଯୁଦ୍ଧ ଲଢୁଥିବା ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର ଏବଂ ସୁନା ଇଟା ଜବତ କରାଯାଇଛି । ତାଲିବାନ ଏକ ଭିଡିଓ ଜାରି କରି ଏହି ଦାବି କରିଛି ।
ଅମରୁଲ୍ଲା ସାଲେହଙ୍କ ପଞ୍ଜଶୀର ସ୍ଥିତି ବାସଭବନରେ ତାଲିବାନୀମାନେ ରେଡ କରିଥିବା କହିଛନ୍ତି। ଏହି ରେଡ୍ ବେଳେ ସେମାନେ ତାଙ୍କ ଘରୁ ୬.୫ ମିଲିୟନ ଡଲାର ବା ପ୍ରାୟ ୪୮ କୋଟି ଟଙ୍କା ପାଇଥିବା ଟ୍ୱିଟ କରିଛନ୍ତି। ଏହି ଟଙ୍କା ପାଇବା ବେଳର ଦୃଶ୍ୟକୁ ତାଲିବାନ ସଦସ୍ୟ ମହମ୍ମଦ ଜଲାଲ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ଏହି ଭିଡିଓରେ ଅମରୁଲ୍ଲା ସାଲେହ ଚୋରି କରିଥିବା ଟଙ୍କା ରହିଛି। ଆମେ ତାଙ୍କ ଘରେ ରେଡ୍ କରିବା ବେଳେ ୬.୫ ମିଲିୟନ ଡଲାର ଓ ସୁନା ଇଟା ଠାବ କରିଛୁ। ଏହା କେବଳ ଚୋରି ହୋଇଥିବା ସମ୍ପତ୍ତିର କିଛି ଅଂଶ। ଆଗକୁ ଆହୁରି ଟଙ୍କା ଓ ସୁନା ମିଳିବ ବୋଲି ସେ କହିଛନ୍ତି।
ଏହି ୧ ମିନିଟ୍ ୨୬ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ, ୮ରୁ ୧୦ ଜଣ ତାଲିବାନୀ ଦୁଇଟି ସୁଟକେସରେ କିଛି ଆମେରିକୀୟ ଡଲାର ଓ ସୁନା ଇଟାର ଯାଞ୍ଚ କରୁଛନ୍ତି । ଏହି ସମୟରେ କିଛି ଲୋକ ମୋବାଇଲରେ ଏହାର ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଟଙ୍କା କେବେ ଜବତ କରାଯାଇଛି ସେନେଇ ଭିଡିଓରେ କୌଣସି ସଫେଇ ରଖାଯାଇନାହିଁ।
ଏହାପୂର୍ବରୁ ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ତାଲିବାନୀମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ଏପରି କି ତାଙ୍କ ଶବକୁ ସତ୍କାର କରିବାକୁ ପରିବାର ଲୋକଙ୍କୁ ନ ଦେଇ ଶଢ଼ିବାକୁ ଛାଡ଼ି ଦେଇଥିଲେ। ଏବେ ସେମାନଙ୍କ ଟାର୍ଗେଟରେ ଅମରୁଲ୍ଲା ସାଲେହ ଓ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ ଅହମଦ ମାସୁଦ ରହିଛନ୍ତି।
Powered by Froala Editor