ରାମୁ, ବାହୁବଳୀ ଓ ମାଖନା ବେକରେ ଲାଗିବ ରେଡିଓ କଲାର
ଏଣିକି ଚନ୍ଦକା ବନଖଣ୍ଡର ଦୁଇଟି ଦନ୍ତା 'ରାମୁ' ଓ 'ବାହୁ ବଳୀ' ଏବଂ ଗୋଟିଏ ମାଖନା ବେକରେ ଲାଗିବ ରେଡିଓ କଲାର । ଏହାଦ୍ୱାରା ସାଟେଲାଇଟ ଜରିଆରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବ ବନ ବିଭାଗ। ଚନ୍ଦକା ବନଖଣ୍ଡ ଅଞ୍ଚଳରେ କିଛି ହାତୀ ବାରମ୍ବାର ଭୁବନେଶ୍ୱର ଓ ଆଖପାଖ ଜନବସତିକୁ ପଶିଯାଇ ଉପଦ୍ରବ କରୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଅନେକ ସମୟରେ ଭରତପୁର ଜଙ୍ଗଲରେ ଥିବା ମାଖନା ନନ୍ଦନକାନନ ପାଚେରି ଭାଙ୍ଗି ପଶୁଛି। ସେହିଭଳି ଚୂନକୋଳି, ସମେଇଗାଡ଼ିଆ, ପଥର ଗାଡ଼ିଆ, ଅନ୍ଧାରୁଆ ଆଦି ଅଞ୍ଚଳରେ ହାତୀ ଅନେକ ସମୟରେ ବସ୍ତି ଭିତରେ ପଶି ଉପଦ୍ରବ କରୁଛନ୍ତି। କିଛିବର୍ଷ ତଳେ ଭରତପୁରରେ ଜଣେ ବୃଦ୍ଧାଙ୍କୁ ହାତୀ ପାଦରେ ଦଳି ମାରି ଦେଇଥିଲା। ତେଣୁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ଚନ୍ଦକା ବନଖଣ୍ଡ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉଥିଲେ। ସେଥିପାଇଁ ଚନ୍ଦକା ବନଖଣ୍ଡ ହାତୀଙ୍କର ଚଳପ୍ରଚଳ ତଥା ଗତିବିଧି ଉପରେ ରେଡିଓ କଲାର ଜରିଆରେ ନଜର ରଖିବା ସହିତ, ଲୋକମାନଙ୍କୁ ମଧ୍ୟ ଆଗୁଆ ସତର୍କ କରେଇବ।
ସୂଚନାନୁସାରେ, ଇଣ୍ଡିଆନ ଇନ୍ଷ୍ଟଚ୍ୟୁଟ୍ ଅଫ୍ ସାଇନ୍ସ ସେଣ୍ଟର ଫର୍ ଇକୋଲୋଜିର ପ୍ରଫେସର ଡ. ରମଣ ସୁକୁମାର ଓ ତାଙ୍କ ଟିମ ଭୁବନେଶ୍ୱରରେ ସବିଶେଷ ସ୍ଥିତି ଅନୁଧ୍ୟାନ କରିବା ପରେ ୧୯ ତାରିଖ ମଧ୍ୟରେ ହାତୀଙ୍କୁ ରେଡିଓ କଲାର ଲଗାଯିବ । ଏହି କାର୍ଯ୍ୟରେ ଗୋଡିବାରିରେ ଥିବା କୁମକି ହାତୀ ଯଶୋଦାକୁ ନିୟୋଜିତ କରାଯିବ। ଇତିମଧ୍ୟରେ ତାକୁ ଭରତପୁର ଅଣାଯାଇଛି। ଏହି ହାତୀ ପିଠିରେ ବସି ବିଶେଷଜ୍ଞମାନେ ଭରତପୁରର ତାଲିକାଭୁକ୍ତ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରିବେ। ତା'ପରେ ହାତୀଙ୍କ ବେକରେ ରେଡ଼ିଓ କଲାର ବନ୍ଧା ଯିବ। ଓୟୁଏଟିର ଭେଟେରିନାରୀ କଲେଜ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣି ନାଥ ମଧ୍ୟ ଏହି ଟିମ୍ରେ ସାମିଲ ରହି ସହଯୋଗ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱରରେ ରେଡିଓ କଲାର ସଫଳ ହେଲେ ସୁନ୍ଦରଗଡ଼ ବନଖଣ୍ଡରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ୟବସ୍ଥା ହେଉଛି ।
Powered by Froala Editor