ପ୍ରେମ ପାଇଁ ସ୍ୱାମୀ ସାଜିଲା ବଇରି, ଏଚ୍ଆଇଭି ଇଞ୍ଜେକସନ୍ ଦେଇ ପତ୍ନୀଙ୍କୁ କଲା ସଂକ୍ରମିତ
ଉତ୍ତରପ୍ରଦେଶ: ଲଜ୍ୟା, ଘଣ୍ୟ, ଅମଣିଷ । ଏସବୁ ଶବ୍ଦ କମ୍ ପଡ଼ିବ । କାରଣ ଜଣେ ମହିଳାଙ୍କ ସରଳତା ଓ ବିଶ୍ୱାସରେ ଦିଆଯାଇଛି ବିଷ । ସେ ପୁଣି ଆଉ କେହି ନୁହେଁ । ସାତ ଜନ୍ମ ସୁରକ୍ଷା ଦେବାକୁ ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ । ପ୍ରେମରେ ଉବୁଟୁବୁ ହେଉଥିବା ବ୍ୟକ୍ତି ଜଣଙ୍କ ଗର୍ଭବତୀ ପତ୍ନୀଙ୍କୁ ଚିକିତ୍ସା ବାହାନାରେ ଏଚ୍ଆଇଭି ଇଞ୍ଜେକସନ୍ ଦେଇ କରିଛି ସଂକ୍ରମିତ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ । ଏହି ଘଟଣା ଜଣାପଡ଼ିବା ପରେ ଏବେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି । ମହିଳା ଜଣଙ୍କ ଏନେଇ ଆଲିଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁଯାୟୀ, ବିବାହ ପରେ ମହିଳା ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀଙ୍କ ଅନ୍ୟତ୍ର ପ୍ରେମ ସମ୍ପର୍କ ରହିଛି । ଏହାକୁ ସେ ବିରୋଧ କରିଥିଲେ । ପତ୍ନୀ କଥା ମାନି ସ୍ୱାମୀ କିଛି ଦିନ ଚୁପ୍ ରହିଥିଲେ । ହେଲେ ମନରେ ଚାଲିଥିଲା ସଇତାନ ବୁଦ୍ଧି । ପତ୍ନୀ ଗର୍ଭବତୀ ହେବା ଜାଣିବା ପରେ ପୁଣି ଦେଖାଇଥିଲେ ଅସଲ ଚେହେରା । ଆରମ୍ଭ କରିଥିଲେ ଝଗଡ଼ା । ଛୋଟ ଛୋଟ କଥାକୁ ନେଇ ସବୁବେଳେ ମାରପିଟ୍ କରୁଥିଲେ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ବିବାଦ ଲାଗି ରହୁଥିଲା । ଏହାକୁ ତାଙ୍କ ପରିବାର ଲୋକ ମଧ୍ୟ ସମର୍ଥନ କରୁଥିଲେ । ପୁଅ ସହ ମିଶି ତାଙ୍କ ମା’ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ହେଲେ ମହିଳା ଜଣଙ୍କ ସବୁକିଛି ଚୁପ୍ଚାପ୍ ସହି ଯାଉଥିଲେ । ମାତ୍ର ସ୍ତ୍ରୀଠାରୁ ଛାଡପତ୍ର ହାସଲ କରିବା ପାଇଁ ଅଭିଯୁକ୍ତ ତାଙ୍କୁ ହସ୍ପିଟାଲ ନେଇ ଚେକ୍ଅପ୍ କରିବା ବାହାନାରେ ଏଚ୍ଆଇଭି ଇନଫେକ୍ଟଟେଡ୍ ଇଞ୍ଜେକ୍ସନ୍ ଦେଇଥିଲା । ସେ ଏଡସ୍ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ନେଇ ବାପ ଘରେ ଛାଡି ଆସିଥିବା ପୀଡିତା ଅଭିଯୋଗରେ ଦର୍ଶାଇଛନ୍ତି ।
ଲୋଧା ଥାନା ପୁଲିସ୍ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛି । ଏନେଇ ଏକ ମାମଲା ରୁଜୁ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଇଞ୍ଜେକ୍ସନ୍ ଦିଆଯାଇଥିବା କ୍ଲିନିକ୍ରେ ଚଢ଼ଉ କରି ତନାଘନା ଆରମ୍ଭ କରିଛି ପୁଲିସ୍ । ଘଟଣାରେ କେଉଁମାନେ ସମ୍ପୃକ୍ତ ତାହାର ତାଲିକା ପ୍ରସ୍ତୁତ କରିଛି । ଖୁବ୍ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
Powered by Froala Editor