ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା: ବିମାନ ବନ୍ଦରରେ ନଦୀର ଭ୍ରମ
![ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା: ବିମାନ ବନ୍ଦରରେ ନଦୀର ଭ୍ରମ](https://odishanewslens.com/news_gallery/5910_1631387869.jpg)
ଦିଲ୍ଲୀ ବର୍ଷା ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। କେବଳ ରାସ୍ତାଘାଟରେ ନୁହେଁ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରର ଏଭଳି ଫଟୋ ସାମ୍ନାକୁ ଆସିଛି। ବର୍ଷାର ପରିମାଣ ଅଧିକ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଗୋଳିଆ ପାଣି ପଶିଯାଇଥିଲା, ଯାହାର କିଛି ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସିଛି।
ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୩ରେ ପାଣି ପଶିଯାଇଛି। ରନୱେରେ ପାଣି ଭର୍ତ୍ତି ହେବା ଯୋଗୁଁ ବିମାନ ଗୁଡିକ ଭାସମାନ ଅବସ୍ଥାରେ ଥିବା ଭଳି ମନେ ହେଉଛି। ସମୁଦ୍ର ଭଳି ଲହଡି ଭାଙ୍ଗୁଛି ବର୍ଷା ପାଣି। ମେଟ୍ରୋ ଷ୍ଟେସନରେ ମଧ୍ୟ ପାଣି ପଶିଛି। ଲଗାଣ ବର୍ଷା ଯୋଗୁଁ ଦ୍ୱାରକା ମେଟ୍ରୋ ଷ୍ଟେସନ ବାହାରେ ପାଚେରୀ ଭାଙ୍ଗି ଯାଇଥିବା କୁହାଯାଉଛି।
ସେପଟେ ଦିଲ୍ଲୀ ଜଖିରା ଅଣ୍ଡରପାସ୍ରେ ୧୦ ଫୁଟ୍ ଯାଏଁ ପାଣି ଭର୍ତ୍ତି ହୋଇଯାଇଛି। ଗାଡି ମଟର ଚଳାଚଳ ପୂରାପୁରି ପ୍ରଭାବିତ ହୋଇଛି। ଦିଲ୍ଲୀ-ଏନ୍ସିଆର୍ ସମେତ କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା। ଏବେ ଦିଲ୍ଲୀ ଏନ୍ସିଆର୍ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଦିଲ୍ଲୀ, ନଏଡା, ଗ୍ରେଟର ନଏଡା, ସମେତ ଏନ୍ସିଆର୍ର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ବାୟୁ ପ୍ରବାହଜନିତ ବର୍ଷକାଳ ଶେଷ ହୋଇ ନ ଥିଲେ ମଧ୍ୟ ଆଜି ଦିଲ୍ଲୀରେ ହୋଇଥିବା ବୃଷ୍ଟିପାତ ୧୯୭୫ ମସିହା ପରଠାରୁ ଏଯାବତ୍ ରେକର୍ଡ କରାଯାଇଥିବା ବୃଷ୍ଟିପାତ ଠାରୁ ସର୍ବାଧିକ ବୋଲି ଜଣାପଡ଼ିଛି। ୧୯୭୫ ମସିହାରେ ଦିଲ୍ଲୀରେ ୧,୧୫୦ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ସେହିପରି, ୨୦୧୦ରେ ମଧ୍ୟ ଦିଲ୍ଲୀରେ ୧୦୦୦ ମିଲିମିଟର୍ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୯୭ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁଁ ରାଜଧାନୀରେ ତାପମାତ୍ରା ସାମାନ୍ୟ କମିଛି।
Powered by Froala Editor