ମା’ ମମତାକୁ ଭୁଲିଗଲା ପୁଅ: ନୂଆଁଖାଇ ଆଳ ଦେଖାଇ ମୁଖାଗ୍ନି ଦେବାକୁ ଆସିଲାନି
ନୂଆଁଖାଇରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ଥିବାବେଳେ ବରଗଡ଼ ସହର ପୁରୁଣା ବସ୍ଷ୍ଟାଣ୍ଡ ପଛପଟେ ଥିବା ଝୁମ୍ପୁଡ଼ିପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ପୁଅ ଏତେ ଗୁରୁତ୍ୱ ଦେଇଥିଲା ଯେ, ମା’ର ଶବ ସତ୍କାର କରିବାକୁ ଆସିଲାନି । ଦୀର୍ଘ ୧୫ଘଣ୍ଟା ମୃତଦେହ ପଡ଼ିରହିଲା ପରେ ସମାଜସେବୀ ସଂଗଠନ ସଂକଳ୍ପ ପରିବାର ସଂସ୍କାର କରିଥିଲେ ।
ବରଗଡର ପୁରୁଣା ବସଷ୍ଟାଣ୍ଡ ପଛପଟେ ଥିବା ଝୁପୁଡି ପଡ଼ାରେ ରହୁଥିଲେ 60ବର୍ଷୀୟ ମଳି ମିର୍ଧା । ଦୀର୍ଘ ଦିନହେଲା ଶଯ୍ୟାଶାୟୀ ଥିବାବେଳେ ନୂଆଁଖାଇ ପୂର୍ବ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ସମୟରେ ପାଖରେ ତାଙ୍କର ସ୍ୱାମୀ ମୁକୁନ୍ଦ ମିର୍ଧା ଓ ତାଙ୍କର ଝିଅ ସଞ୍ଜୁ ମିର୍ଧାଙ୍କ ଶବ ପାଖରେ ବସି ରହିଥିଲେ । ହେଲେ ପୁଅ ପାଖରେ ରହୁନଥିବାବେଳେ ପୁଅକୁ ମାଆର ମୃତ୍ୟୁ ଖବର ଦେଇଥିଲେ ସୁଦ୍ଧା ନୂଆଁଖାଇ ଦିନ ପୂଜା ପର୍ବାଣୀ ଦିନ ଆସିପାରିବେ ନାହିଁ ବୋଲି ମନା କରିଦେଇଥିଲେ । ଏପରିକି ନୂଆଁଖାଇ ଦିନ ହୋଇଥିବାରୁ ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ଆସିନଥିଲେ । ତେଣୁ ନିରୁପାୟ ହୋଇ ଦୀର୍ଘ ୧୫ଘଣ୍ଟା ପର୍ଯ୍ୟନ୍ତ ପଡି ରହିଥିଲା ମୃତ ଶରୀର । ଖବର ପାଇ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ନୂଆଁଖାଇ ପାଳନ ଛାଡ଼ି ମୃତାଙ୍କ ଘରେ ପହଞ୍ଚିଥିଲେ। ପରେ ମୃତଦେହ ସ୍ଥାନୀୟ ଜୀରାନଦୀ କୂଳକୁ ନେଇ ସତ୍କାର କରିଥିଲେ । ମାଆଙ୍କ ମୃତ୍ୟୁଖବର ପାଇବା ସତ୍ତ୍ବେ ନୂଆଁଖାଇ ଆଳ ଦେଖାଇ ପୁଅ ଆସି ପାରିବେ ନାହିଁ ବୋଲି କହିଥିବା ମୃତା ମଳିଙ୍କ ଝିଅ ସଞ୍ଜୁ କହିଛନ୍ତି । ଏ ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।
Powered by Froala Editor