ପ୍ରଧାନମନ୍ତ୍ରୀ ଚକିତ, ଭିଜିଟରଙ୍କ ସହ କୋଭିଡ ରୋଗୀଙ୍କ ଯୌନ ସମ୍ପର୍କ

ୱେଲିଂଟନ : ନ୍ୟୁଜିଲାଣ୍ଡରେ ଏବେ କରୋନା ସଂକ୍ରମଣ ଅଧିକ ରହିଛି । ବହୁସଂଖ୍ୟକ ରୋଗୀ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାକୁ ‘ଭିଜିଟର୍ସ ଆୱାର୍ସ’ ବେଳେ ସଂପର୍କୀୟ ବା ପରିଦର୍ଶକମାନେ ରୋଗୀଙ୍କୁ ଦେଖିବାକୁ ଯାଉଛନ୍ତି । ସେହି ସମୟରେ କିଛି ରୋଗୀ ଓ ପରିଦର୍ଶକଙ୍କ ମଧ୍ୟରେ ଯୌନ ସଂପର୍କ ରହୁଥିବା ଅଭିଯୋଗ ହେଉଛି । କୋଭିଡ ସଂପର୍କିତ ଦୈନିକ ସୂଚନା ଦେବା ସମୟରେ ଜଣେ ସାମ୍ବାଦିକ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କୁ ଏ ନେଇ ପ୍ରଶ୍ନ ପଚାରିବାରୁ ଥଣ୍ଡା ମିଜାଜର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ହଠାତ ଚକିତ ହୋଇଯାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ରୋଗୀ ଓ ପରିଦର୍ଶକଙ୍କ ମଧ୍ୟରେ ଯୌନ ସଂପର୍କକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟଭାବେ ବିବେଚନା କରାଯିବ କି ବୋଲି ସାମ୍ବାଦିକ ପଚାରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ କୋଭିଡ ସ୍ଥିତି ଯାହା ଥାଉ ନା କାହିଁକି ଡାକ୍ତରଖାନାର ପରିଦର୍ଶନ ସମୟରେ ରୋଗୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ସାଧାରଣତଃ ଯୌନ ସଂପର୍କ ରହିବା ଉଚିତ ନୁହେଁ । ଉଲ୍ଲେଖଯୋଗ୍ୟ, ଅକଲାଣ୍ଡ ଜିଲ୍ଲା ସ୍ୱାସ୍ଥ୍ୟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ ହସ୍ପିଟାଲରେ କୋଭିଡ ରୋଗୀଙ୍କୁ ଭେଟିବାକୁ ଯାଉଥିବା ଲୋକଙ୍କ ମଧ୍ୟରୁ ଅନେକ ଯୌନ ସଂପର୍କରେ ଲିପ୍ତ ରହୁଥିବା ଅଭିଯୋଗ ଆସିଛି ।
Powered by Froala Editor