ଧରାପଡିଲେ ମିସ୍ ୪୨୦ : ନକଲି ଆକାଉଣ୍ଟରେ ଲୁଟୁଥିଲେ ଅସଲି ଟଙ୍କା
ଧରାପଡିଲା ଫେସବୁକର ଫେକ୍ ଆଞ୍ଜେଲ ପ୍ରିୟାଙ୍କ କାରନାମା । କେତେବେଳେ ଡାକ୍ତର, ତ ପୁଣି କେତେବେଳେ ବ୍ୟୁଟିସିଆନ୍ । ଏମିତି ଫେସବୁକରେ ଫେକ୍ ଆକାଉଣ୍ଟ କରି ଯୁବକଙ୍କୁ ଚୂନା ଲଗାଉଥିଲେ ମହିଳା । ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ପ୍ରଥମେ ଧନୀ ଘରର ଯୁବକଙ୍କ ସହ କରୁଥିଲେ ଚାଟିଂ । ତାପରେ ବଢାଉଥିଲେ ସମ୍ପର୍କ । ଆଉ ତାପରେ ନାନା ଆଳ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏଭଳି ଜଣେ ମିସ୍ ୪୨୦ଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ ।
ଗିରଫ ମିସ୍ ୪୨୦ ବିୟୁଟି କ୍ବିନ୍ ଜଣଙ୍କ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନାଚୁଣିରେ । ପ୍ରିୟଙ୍କା ଜଣେ କି ଦୁଇ ଜଣ ନୁହେଁ ଅନେକ ଯୁବକଙ୍କୁ ନିଜ ଫାଶରେ ପକାଇ ଠକିଛନ୍ତି । ପୋଲିସ ତାଙ୍କ ବିରୋଧରେ କେସ୍ ନମ୍ବର ୩୭୦/୨୧ରେ ଏକ ମାମଲା ରୁଜୁ କରି ଆଇପିସି ଦଫା ୪୧୯ (ଛଦ୍ମବେଶରେ କୃତ ପ୍ରବଞ୍ଚନା), ୪୨୦(ସମ୍ପତ୍ତି ସମର୍ପଣ ପାଇଁ ପ୍ରବଞ୍ଚନା ଓ ଅସାଧୁ ପ୍ରବଞ୍ଚନା) ଲଗାଇ କୋର୍ଟ ଚାଲଣ କରିଛି । ତାଙ୍କ ନିକଟରୁ ଜବତ ହୋଇଛି ୧ଲକ୍ଷ ୩୩ହଜାର ଟଙ୍କା, ମୋବାଇଲ୍, ଏଟିଏମ୍ କାର୍ଡ ଓ ବ୍ୟାଙ୍କ ପାସବୁକ୍ । ସେ କେତେ ଜଣଙ୍କୁ ଠକିଛନ୍ତି ପୋଲିସ ଖୋଳତାଡ ଜାରି ରଖିଛି ।
ପୋଲିସର କହିବା ଅନୁସାରେ, ୟୁନିଟ୍-୧ ଅଞ୍ଚଳର ଶକ୍ତି ସ୍ବରୂପ ମହାପାତ୍ର ଗତ ଜୁନ୍ ୭ରେ ଥାନାରେ ପ୍ରିୟଙ୍କାଙ୍କ ନାଁରେ ଅଭିଯୋଗ କରିଥିଲେ । ପ୍ରିୟଙ୍କା ତାଙ୍କୁ ଏକ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୬ ଲକ୍ଷ ୬୫ ହଜାର ଟଙ୍କା ଠକି ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ପୋଲିସକୁ ସେ ପ୍ରିୟଙ୍କାଙ୍କ ଫେକ୍ ଫେସ୍ବୁକ୍ ଆଇଡି ଦେଖାଇବା ସହ ତାଙ୍କ ମୋବାଇଲ୍ ଫୋନ୍ ନମ୍ବର ଦେଇଥିଲେ । ଶକ୍ତିଙ୍କ ଅଭିଯୋଗର ପ୍ରାୟ ସପ୍ତାହେ ମଧ୍ୟରେ ଅନ୍ୟ ୨ ଠକେଇ ଅଭିଯୋଗ ସହିଦନଗର ଥାନାରେ ହୋଇଥିଲା । ଯେଉଁଥିରେ କି ପ୍ରିୟଙ୍କା ସମାନ ଢ଼ଙ୍ଗରେ ୨ ଛାତ୍ରଙ୍କୁ ଠକିଥିଲେ ।
ପୋଲିସ ପାଖରେ ମୋଟ୍ ୧୩ ଲକ୍ଷ ଟଙ୍କା ଠକେଇର ଅଭିଯୋଗ ହେବା ପରେ ପ୍ରିୟଙ୍କାକୁ ଧରିବାକୁ ଜାଲ ବିଛା ଯାଇଥିଲା । ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁଙ୍କ ନିର୍ଦ୍ଦେଶରେ ଥାନାର ଜଣେ ସବ୍ ଇନ୍ସପେକ୍ଟର ନିଜ ପରିଚୟ ଲୁଚାଇ ପ୍ରିୟଙ୍କାଙ୍କ ଫେକ୍ ଫେସ୍ବୁକ୍ ଆକାଉଣ୍ଟରେ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଲେ । ପ୍ରିୟଙ୍କା ଚିରାଚରିତ ଶୈଳୀରେ ତାଙ୍କୁ ଫସେଇବାକୁ ଚେଷ୍ଟା କରିଥିଲେ । ପ୍ରିୟଙ୍କାକୁ ଶୁକ୍ରବାର ଗିରଫ କରାଯାଇଛି ।
Powered by Froala Editor