୧୨ ନକଲି ଶିକ୍ଷକଙ୍କୁ ବହିଷ୍କାର କଲା ଶିକ୍ଷା ବିଭାଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ୧୨ ଜଣ ନକଲି ଶିକ୍ଷକଙ୍କୁ ଶେଷରେ ଶିକ୍ଷା ବିଭାଗ ବହିଷ୍କାର କରିଛି । ୨୦୧୯ ମସିହାରୁ ନକଲି ଶିକ୍ଷକ ଧରପଗଡ଼ ଅଭିଯାନ ଚାଲିବା ପରେ ୧୨ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଜଣାପଡ଼ିଥିଲା । ୩ ତାରିଖରେ ଏହି ୧୨ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ସେହିପରି ନକଲି ଓଟିଇଟି ସାର୍ଟିଫିକେଟ ଦେଇଥିବା ୪ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦୁଇ ଜଣଙ୍କୁ ଆଉଥରେ ସେମାନଙ୍କ ସାର୍ଟିଫିକେଟ ଦାଖଲ କରିବାକୁ ଚିଠି କରାଯାଇଛି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନକଲି ବିଏଡ ସାର୍ଟିଫିକେଟ ଦେଇ ଶିକ୍ଷକ ନିଯୁକ୍ତି ପାଇଥିବା ସଂପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନକଲି ବିଏଡ ସାର୍ଟିଫିକେଟ ଦେଇ ୧୨ଜଣ ଶିକ୍ଷକତା କରୁଥିବା ଜଣାପଡ଼ିଥିଲା । ସଂପୃକ୍ତ ବ୍ଲକର ବିଇଓ ପ୍ରଥମେ ଏହି ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ପରେ ସେମାନଙ୍କ ଦରମା ବନ୍ଦ କରାଯାଇଥିଲା । ଇତିମଧ୍ୟରେ ସମସ୍ତଙ୍କ ନାମରେ ନିକଟସ୍ଥ ଥାନାରେ ବିଇଓଙ୍କ ପକ୍ଷରୁ ଅଭିଯୋଗ କରିବା ପରେ ଏକାଧିକ ଶିକ୍ଷକ ଗିରଫ ହୋଇଥିବା ବେଳେ ଆଉ କିଛି ଶିକ୍ଷକ ଆଗୁଆ ଜାମିନରେ ମଧ୍ୟ ଆସିଥିଲେ । ଇତିମଧ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ତଦନ୍ତ କରାଯିବା ସହିତ ନକଲି ସାର୍ଟିଫିକେଟ ଦେଇଥିବା ବିଶ୍ୱବିଦ୍ୟାଳୟ ଚିଠି ଆଧାରରେ ୧୨ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଗତ ୩ ତାରିଖରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏହି ୧୨ ଜଣ ଶିକ୍ଷକଙ୍କୁ ବହିଷ୍କାର ସଂପର୍କିତ ଚିଠି ପ୍ରଦାନ କରିଛନ୍ତି । ଏଥିସହ ନକଲି ଓଟିଇଟି ସାର୍ଟିଫିକେଟ ଦେଇଥିବା ୪ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦୁଇ ଜଣଙ୍କୁ ଆଉଥରେ ସେମାନଙ୍କ ସାର୍ଟିଫିକେଟ ଦାଖଲ କରିବାକୁ ଚିଠି କରାଯାଇଛି । ସେମାନଙ୍କୁ ୩୦ ଦିନ ମଧ୍ୟରେ ପକ୍ଷ ରଖିବାକୁ ଡିପିସିଙ୍କ ପକ୍ଷରୁ ଚିଠି ହୋଇଛି ।
Powered by Froala Editor