ପିପିଲି ଉପନିର୍ବାଚନ, ପ୍ରଚାରରେ ଦୁଇଚକିଆ ଗାଡି ଓ ସାଇକଲ ଶୋଭାଯାତ୍ରା ନିଷେଧ

ପୁରୀ/ଭୁବନେଶ୍ବର : ଆସନ୍ତା ୩୦ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ। ଏଠାରେ ଅବାଧ ଓ ନିରପେକ୍ଷ ମତଦାନ ପାଇଁ ପ୍ରସ୍ତୁତ ହୋଇଛି ଜିଲା ପ୍ରଶାସନ। ଆଚରଣ ବିଧି ଉଲଙ୍ଘନ ରୋକିବାକୁ ସ୍ବତନ୍ତ୍ର ଦଳ ଗଠନ ସହ ଦେୟମୁକ୍ତ ଟେଲିଫୋନ ନମ୍ବର ଜାରି କରାଯାଇଛି। ନିର୍ବାଚନ ପ୍ରଚାରରେ ଦୁଇଚକିଆ ଗାଡି ଓ ସାଇକଲ ଶୋଭାଯାତ୍ରା ନିଷେଧ କରାଯାଇଛି। ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨୦୦ ଲୋକ କିମ୍ବା ବସିବା କ୍ଷମତାର ୩୦% ଲୋକ ସାମିଲ ହୋଇପାରିବେ। ଘରକୁ ଘର ବୁଲି ପ୍ରଚାର କରିବା ବେଳେ ସର୍ବାଧିକ ୫ଜଣ ରହିପାରିବେ। ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗର ତଦନ୍ତ ଏବଂ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ଜିଲାପାଳ (ରାଜସ୍ବ) ସୁବାସ ଚନ୍ଦ୍ର ନାଥଶର୍ମାଙ୍କ ନେତୃତ୍ବରେ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।
ମତଦାନ ପାଇଁ ଯିବାବେଳେ ତୁଣ୍ଡିପିନ୍ଧିବା ସହ ସାମାଜିକ ଦୂରତ୍ବ ପାଳନ କରିବାକୁ ମତଦାତାଙ୍କୁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ପିପିଲି ଓ ଡେଲାଙ୍ଗ ବ୍ଲକରେ ୧୦୨ ଅତି ସମ୍ବେଦନଶୀଳ ଏବଂ ୭୩ ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି।
ଜିଲାପାଳ ସମର୍ଥ ବର୍ମା ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ପ୍ରଚାର, ମତଦାନ ଏବଂ ଭୋଟ ଗଣତି ସମୟରେ କରୋନା କଟକଣା କଡାକଡି କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ୨ଲକ୍ଷ ୨୯ହଜାର ୯୯୮ ମତଦାତା ୩୪୮ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ମତଦାନ ବ୍ୟବସ୍ଥା କରାଯାଇଛି। ଡାକଯୋଗେ ଭୋଟ ଗ୍ରହଣ ପାଇଁ ୭ଟି ଦଳ ଗଠନ କରାଯାଇଛି। ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ ଯେକୌଣସି ବ୍ୟକ୍ତି ଅଭିଯୋଗ କଲେ ସଙ୍ଗେ ସଙ୍ଗେ ତାହାର ତଦନ୍ତ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ୧୭୫ ମତଦାନ କେନ୍ଦ୍ରରେ ମତଦାନ ୱେବକାଷ୍ଟିଂ (ସିଧାପ୍ରସାରଣ) କରାଯିବ। ମତଦାନ ତଦାରଖ ନିମନ୍ତେ ୨୩ ଅଣୁ ପର୍ଯ୍ୟବେକ୍ଷକ (ମାଇକ୍ରୋ ଅବ୍ଜର୍ଭର) ନିଯୁକ୍ତ କରାଯାଇଛି। ଉପନିର୍ବାଚନରେ ୧୫ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ସହ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ ହୁଇଲ ଚେୟାର ଏବଂ ୧୦୨ ଗାଡି ବ୍ୟବସ୍ଥା କରାଯାଇଛି। ଆଗାମୀ ୩୦ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ୧୦ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଅକ୍ଟୋବର ୩ତାରିଖ ଭୋଟ ଗଣତି ପରେ ଫଳ ଘୋଷଣା କରାଯିବ।
ବିଭିନ୍ନ ରାଜନୈତିକ ଦଳ କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ସୋମବାର ଆଲୋଚନା କରାଯାଇ ଥିବା ଜିଲାପାଳ ଶ୍ରୀ ବର୍ମା ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ସହକାରୀ ଜିଲାପାଳ ସୁମନ୍ତ କର ଓ ଜିତେନ୍ଦ୍ର କୁମାର ପାତ୍ର, ପଞ୍ଚାୟତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଗତ ୪ ତାରିଖ ଠାରୁ ନିର୍ବାଚନ ପ୍ରକ୍ରିୟା େଶଷ େହବା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ େହାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଚଳିତ ମାସ ୩୦ ତାରିଖରେ େଭାଟଗ୍ରହଣ ହୋଇ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ଓ ଫଳ ପ୍ରକାଶ ହେବ। ୫ ତାରିଖରେ ନିର୍ବାଚନ ପ୍ରକ୍ରିୟା େଶଷ େହବ। ଏହି ଉପନିର୍ବାଚନରେ ଭୋଟଗ୍ରହଣର ୭୨ଘଣ୍ଟା ପୂର୍ବରୁ ପ୍ରଚାର ଉପରେ ନିଷେଧାଦେଶ ଜାରି କରାଯାଇଛି।
Powered by Froala Editor