ସେପ୍ଟେମ୍ବର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିବେ। ଜୋ ବାଇଡେନ ପ୍ରଶାସନ ଚଳିତ ବର୍ଷ ଜାନୁଆରୀରେ କ୍ଷମତାକୁ ଆସିବା ପରେ ମୋଦିଙ୍କର ଏହା ପ୍ରଥମ ଆମେରିକା ଗସ୍ତ ହେବ। ତେବେ ଏ ସମ୍ପର୍କରେ ସରକାରୀ ସ୍ତରରେ ନିର୍ଦ୍ଦିଷ୍ଟ ଭାବରେ କିଛି କୁହାଯାଇନାହିଁ। ତେବେ ବିଶ୍ୱସ୍ତ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୩ କିମ୍ବା ୨୪ରେ ଆମେରିକା ଗସ୍ତରେ ଯିବେ। ମୋଦି ଓ ବାଇଡେନ ଇତିମଧ୍ୟରେ ବହୁବାର ଭର୍ଚୁଆଲ ଉପାୟରେ ବୈଠକରେ ସାମିଲ ହୋଇସାରିଛନ୍ତି। ଏହା ପୂର୍ବରୁ ମୋଦି ୨୦୧୯ରେ ଆମେରିକା ଗସ୍ତରେ ଯାଇ ହଷ୍ଟନରେ ‘ହାଉଡି ମୋଦି’ ଶୀର୍ଷକରେ ଭାରତୀୟ ମୂଳ ନିବାସୀଙ୍କର ଏକ ବିଶାଳ ସମାବେଶରେ ଯୋଗଦେଇଥିଲେ। ସେହି ସମୟରେ ଡୋନାଲଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଥିଲେ। ମୋଦି ତାଙ୍କ ଗସ୍ତ କାଳରେ ନ୍ୟୁୟର୍କ ଏବଂ ୱାଶିଂଟନ ଡିସିକୁ ଯିବେ। ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପୃଷ୍ଠଭୂମିରେ ମୋଦିଙ୍କର ଏହି ଆମେରିକା ଗସ୍ତ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ଆମେରିକା ଗସ୍ତରେ ଥିବା ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା କହିଛନ୍ତି, ମୋଦିଙ୍କର ଏହି ଗସ୍ତ କାଳରେ କ୍ୱାଡ ବୈଠକ ଆୟୋଜିତ ହେବା ସମ୍ଭାବନା ରହିଛି।
Powered by Froala Editor