ମାଡି ଆସୁଛି ଆଉ ଏକ ଭୟଙ୍କର ସୌରଝଡ଼
କାଲିଫର୍ଣ୍ଣିଆ : ଆଗକୁ ଆଉ ଏକ ଭୟଙ୍କର ସୌରଝଡ଼ ଆସୁଛି, ଯାହା ଆମର ବ୍ୟାପକ ବୈଦୁ୍ୟତିକ ଭିତ୍ତିଭୂମିକୁ ନଷ୍ଟ କରିବା ସହ ଏକ ‘ଇଣ୍ଟରନେଟ ବିପର୍ଯ୍ୟୟ’ ସୃଷ୍ଟି କରିପାରେ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସଂଗୀତା ଅବଦୁ ଜ୍ୟୋତିଙ୍କ ଦ୍ୱାରା ପ୍ରକାଶିତ ଏକ ଗବେଷଣା ସନ୍ଦର୍ଭରେ ଲେଖାଯାଇଛି ଯେ, ଏହି ସୌର ଝଡ଼ ହେତୁ ଆମର ଇଣ୍ଟରନେଟ୍ ପୂରା ଅଚଳ ହୋଇପାରେ ଏବଂ ଆମର ଡିଜିଟାଲ ଜଗତ ବ୍ୟାପକଭାବେ ପ୍ରଭାବିତ ହୋଇପାରେ । ଉକ୍ତ ଗବେଷଣା ସନ୍ଦର୍ଭରେ ଅବଦୁ ଜ୍ୟୋତି ଲେଖିଛନ୍ତି ଯେ, ସ୍ଥାନୀୟ ଓ ଆଞ୍ଚଳିକ ଇଣ୍ଟରନେଟ୍ ଭିତ୍ତିଭୂମିରେ ବିଶେଷ କ୍ଷତି ହେବ ନାହିଁ କାରଣ ସେଗୁଡ଼ିକ ମୁଖ୍ୟତଃ ଫାଇବର ଅପ୍ଟିକ୍ ବ୍ୟବହାର କରନ୍ତି । ଗତ ସପ୍ତାହରେ ଏସଆଇଜିସିଓଏମଏମ ୨୦୨୧ ଡାଟା କମୁ୍ୟନିକେସନ ସମ୍ମେଳନରେ ଅବଦୁ ଜ୍ୟୋତି କହିଛନ୍ତି ଯେ, ସମୁଦ୍ର ତଳେ ଯାଇଥିବା ତଥା ମହାଦେଶ-ମହାଦେଶକୁ ସଂଯୋଗ କରୁଥିବା କେବୁଲଗୁଡ଼ିକ ଫାଇବର ଅପ୍ଟିକ୍ ହେଲେ ମଧ୍ୟ ପ୍ରଭାବିତ ହେବ । ସେତେବେଳେ ଏହି ସାମୁଦ୍ରିକ କେବୁଲ ଉପରେ ନିର୍ଭରଶୀଳ ଇଣ୍ଟରନେଟ ଅଚଳ ହୋଇଯିବ । ଏହା ପୂର୍ବରୁ ୧୮୫୯, ୧୯୨୧, ଓ ୧୯୮୯ରେ ଏପରି ଭୟଙ୍କର ସୌରଝଡ଼ ସୃଷ୍ଟି ହୋଇଥିଲା । ୧୯୮୯ରେ ହାଇଡ୍ରୋ- କ୍ୱିବେକ୍ ପାୱାର ଗ୍ରିଡ୍ ଅଚଳ ହେବା ସହ ଉତ୍ତରପୂର୍ବ କାନାଡ଼ାରେ ୯ ଘଣ୍ଟା ପାୱାର ଚାଲିଯାଇଥିଲା ।
Powered by Froala Editor