ଜୀବନବ୍ୟାପୀ ସାଧନା ପାଇଁ ବିନୋଦିନୀ ଦେବୀ ପାଇବେ 'ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ'

୫ ତାରିଖରୁ ଆରମ୍ଭ ହେବ ୨୭ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ-୨୦୨୧ । ଅଭିନେତ୍ରୀ ହେମା ମାଳିନୀ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଏନେଇ ଗୁରୁବାର 'ସୃଜନ'ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ନୃତ୍ୟାନୁଷ୍ଠାନ 'ସୃଜନ' ପକ୍ଷରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବ ଲାଗି ଚଳିତ ବର୍ଷ ପୁରସ୍କାର ଘୋଷଣା ହୋଇଛି। ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ 'ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ' ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା, ଉତ୍ତରୀୟ ଓ ସ୍ମୃତି ଫଳକ ପଦାନ କରାଯିବ। ସେହିପରି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆରୁଷୀ ମୁଦ୍ଗଲ୍ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ସେମାନଙ୍କ ସାଧନାର ସ୍ବୀକୃତି ସ୍ବରୂପ 'ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନ'ରେ ସମ୍ମାନିତ କରାଯିବ। ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସେମାନଙ୍କୁ ସମ୍ମାନିତ କରିବେ। ଦର୍ଶକ ଓ ଶ୍ରୋତାମଣ୍ଡଳୀ ଡିଜିଟାଲ ମାଧ୍ୟମ ଯଥା 'ସୃଜନ'ର ଫେସ୍ବୁକ୍ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ପ୍ରତି ସନ୍ଧ୍ୟା ସାଢ଼େ ୭ଟାରେ ଉତ୍ସବକୁ ଉପଭୋଗ କରିପାରିବେ। ଏହି ଉତ୍ସବକୁ ଗୁରୁମା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି।
Powered by Froala Editor