ନୂଆ ଏସଓପି ଜାରି କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ, ଶନିବାର ଦର୍ଶନ କଟକଣାକୁ ହଟାଇବାକୁ ନିଷ୍ପତ୍ତି

ପୁରୀ : ରାଜ୍ୟ ସରକାର ଏବେ କୋଭିଡ କଟକଣାକୁ କୋହଳ କରିଛନ୍ତି । ଯେଉଁ ହାତଗଣତି ଜିଲ୍ଲାରେ ସାପ୍ତାହାନ୍ତ ସଟଡାଉନ ରହିଥିଲା, ତାକୁ ପ୍ରତ୍ୟାହାର କରି ନିଆଯାଇଛି । ସେପଟେ ରାତ୍ରୀକାଳୀନ କର୍ଫୁ୍ୟକୁ ବି କୋହଳ କରାଯାଇଛି । ରାତି ୮ଟା ବଦଳରେ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ କୋହଳ କରିବାକୁ ବିଚାରବିମର୍ଶ ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ । ସେହି ଅନୁଯାୟୀ ନୂଆ ଏସଓପି ଜାରି କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ଆପାତତଃ ଶନିବାର ଦର୍ଶନ କଟକଣାକୁ ହଟାଇବାକୁ ନିଷ୍ପତ୍ତି ହୋଇଛି । ସେପଟେ ଦର୍ଶନ ସମୟ ଅବଧିକୁ ବି ବୃଦ୍ଧି କରିବାକୁ ଯୋଜନା କରାଯାଉଛି । ଏ ଉପରେ ଆସନ୍ତା ୮ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଯେଉଁଥିରେ ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହେବ ଓ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ବଳବତ୍ତର ଏସଓପି ଅନୁଯାୟୀ, ଭକ୍ତମାନେ ସପ୍ତାହକୁ ୫ ଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଛି । ସେପଟେ ଭିଡ଼କୁ ନଜରରେ ରଖି ସ୍ୱତନ୍ତ୍ର ପର୍ବପର୍ବାଣୀରେ ବି ଦର୍ଶନ କଟକଣା ଲଗାଯାଇଛି । ଭକ୍ତମାନେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ମିଳିଥିବା ସୂଚନା ମୁତାବକ, ନୂଆ ଏସଓପିରେ ଦର୍ଶନ ବ୍ୟବସ୍ଥାକୁ କୋହଳ କରାଯିବ । ସପ୍ତାହକୁ ଗୋଟିଏ ଦିନ ଅର୍ଥାତ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଶନିବାର ଦର୍ଶନରେ ଯେଉଁ କଟକଣା ଲଗାଯାଇଛି, ତାକୁ ହଟାଇ ଦିଆଯିବ ।
Powered by Froala Editor