କରୋନା ନେଲା ଆଉ ୫୩ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୨୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି କଟକ ଜିଲ୍ଲାରେ ୫ ଓ ଜଗତସିଂହପୁର ଜିଲାରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ଯାଜପୁର ଜିଲ୍ଲାରେ ୪, କେନ୍ଦୁଝର ଜିଲ୍ଲାରେ ୬ ଓ ପୁରୀ ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡା ଜିଲ୍ଲାରେ ୨ ଜଣ କରୋନା ସଂକ୍ରମିତଙ୍କର ଜୀବନ ଯାଇଥିବାବେଳେ ଝାରସୁଗୁଡା, ଅନୁଗୁଳ, ବଲାଙ୍ଗିର, ମୟୁରଭଞ୍ଜ, ନବରଙ୍ଗପୁର ଓ ନୟାଗଡ ଜିଲ୍ଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୮ ହଜାର ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭ ହଜାର ୧୫୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୯୩ ହଜାର ୨୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Powered by Froala Editor