କୋରିଅରରେ ଗଞ୍ଜେଇ ଚାଲାଣ, ୨ ଗିରଫ
ଭୁବନେଶ୍ୱର: ଆମ୍ବୁଲାନ୍ସ, ପଇଡ଼ ଓ କଦଳୀ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚାଲାଣ କଥା ତ ଅପାଣମାନେ ଆଗରୁ ଜାଣିଥିବେ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ମାଫିଆମାନେ କୋରିଅର ମାଧ୍ୟମରେ ବି ଗଞ୍ଜେଇ ଚାଲାଣ କରୁଛନ୍ତି। ପୁଣି ଯେମିତି କାହାକୁ ସନ୍ଦେହ ନ ହେବ ସେଥିପାଇଁ ପ୍ୟାକେଟ୍ ଉପରେ ପୋଷାକ ରଖି ଦେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ସହିଦ ନଗର ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪୫ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଗିରଫ ଯୁବକ ଦ୍ୱୟ ଦିଲ୍ଲୀର।
ଜୋନ୍-୫ ଏସିପି ସଞ୍ଜୀବ ଶତପଥୀ ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି, ଗିରଫ ଯୁବକ ଦ୍ୱୟ ଦିଲ୍ଲୀରୁ ଆସି ଏଠାରେ ଘର ଭଡ଼ା ନେଇ ରହୁଥିଲେ। ମୁଖ୍ୟତଃ ଗଜପତି ଓ ମୋହନା ଅଞ୍ଚଳରୁ ସେମାନେ ଗଞ୍ଜେଇ କିଣୁଥିଲେ। ସେଠାରେ ସେମାନେ ଏଜେଣ୍ଟ ରଖିଛନ୍ତି। ସେହି ଏଜେଣ୍ଟମାନେ ବସ୍ ଯୋଗେ ଗଞ୍ଜେଇ ପଠାଉଥିଲେ। ଆଉ ଅଭିଯୁକ୍ତମାନେ ଗଞ୍ଜେଇକୁ ଭଲ ଭାବେ ପ୍ୟାକିଂ କରି କୋରିଅରରେ ଦିଲ୍ଲୀ ପଠାଉଥିଲେ। ଯେମିତି ଧରା ନପଡ଼ିବେ ସେଥିପାଇଁ ଗଞ୍ଜେଇ ପ୍ୟାକେଟ୍ରେ ସେମାନେ ପୋଷାକ ବି ରଖୁଥିଲେ।
Powered by Froala Editor