ଏଣିକି ସମସ୍ତ ବିଦ୍ୟାଳୟ କୋଠାର ରଙ୍ଗ ହେବ ଏକ ପ୍ରକାର
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟ କୋଠାର ରଙ୍ଗ ଏକ ପ୍ରକାର ହେବ । ଏଥିସହ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ, ମଧ୍ୟାହ୍ନଭୋଜନ ଓ ରୋଷେଇ, ବଗିଚାର କାର୍ଯ୍ୟ ଦାୟିତ୍ୱ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ସଦସ୍ୟାଙ୍କୁ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି), ସମଗ୍ର ଶିକ୍ଷାଙ୍କ ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟା ଡିଇଓମାନେ ତଦାରଖ କରିବେ । ସମସ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ମିଳିସାରି ଥିବାରୁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବା ଦିଗରେ ଡିଇଓମାନେ ପଦକ୍ଷେପ ନେବେ । ଆସନ୍ତା ବର୍ଷଠାରୁ ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ତ ଛାତ୍ରଛାତ୍ରୀ ଯେପରି ପାସ କରିବେ ସେଥିପାଇଁ ସ୍କୁଲ ଅଧ୍ୟକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଯେହେତୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଛି, ତେଣୁ ଡିଇଓମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜଗୁଡ଼ିକର ତଦାରଖ କରିବା ସହ ବିଭାଗର ସମସ୍ତ ନିଦେ୍ର୍ଧଶ ପାଳନ କରିବେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଯୋଜନା) ଏଥିପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣକାରୀ ଯୋଜନା ଲାଭକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଡିଇଓମାନେ ସେମାନଙ୍କର ମୋବାଇଲ ନମ୍ବର ସଂଗ୍ରହ କରିବେ । ବିଭିନ୍ନ ସାମାଜିକ ବାର୍ତ୍ତାଗୁଡ଼ିକୁ ନିର୍ଦ୍ଧାରିତ ହୋର୍ଡିଂରେ ସ୍କୁଲର ମୁଖ୍ୟ ସ୍ଥାନଗୁଡ଼ିକରେ ଲଗାଯିବ । ଆସନ୍ତା ୧ ତାରିଖରେ ମାଧ୍ୟମିକ ଶିକ୍ଷକ ଚାକିରିରେ ନିଯୁକ୍ତି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା କରାଯିବ । ଏହାର ପରିଚାଳନା ପାଇଁ ଡିଇଓମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ଏଣିକି ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ୟୁନିଟ ଟେଷ୍ଟ କରାଯିବ । ସେଥିପାଇଁ ସମସ୍ତ ଜିଲ୍ଲା ରିସୋର୍ସ ଗ୍ରୁପ ଜରିଆରେ ପ୍ରଧାନଶିକ୍ଷକଙ୍କ ପ୍ରଶିକ୍ଷଣକୁ ଶୀଘ୍ର ସାରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିଦେ୍ର୍ଧଶ ଦିଆଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ଡିଇଓମାନେ ଚାଉଳ ଉଠାଇବେ ଏବଂ କାର୍ଯ୍ୟ ଦକ୍ଷତା ଗ୍ରେଡିଂ ଇନଡେକ୍ସ(ପିଜିଆଇ) ପରଫର୍ମାନ୍ସର ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ । ଏହାବ୍ୟତୀତ ଭିତ୍ତିଭୂମି ଓ କୋଠାବାଡ଼ି ଉନ୍ନୟନରେ ଦିଆଯାଇଥିବା ଟଙ୍କା ଠିକ ସମୟରେ ଖର୍ଚ୍ଚ କରିବାକୁ ସଚିବ ଶ୍ରୀ ସାହୁ ନିଦେ୍ର୍ଧଶ ଦେଇଛନ୍ତି । ସେପ୍ଟେମ୍ବର ସୁଦ୍ଧା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯିବ । ଅନ୍ୟାନ୍ୟ ନିଦେ୍ର୍ଧଶଗୁଡ଼ିକୁ ପାଳନ କରିବା ପାଇଁ ବିଇଓମାନଙ୍କୁ ନେଇ ନିୟମିତ ବୈଠକ କରାଯିବ । ଚଳିତବର୍ଷଠାରୁ ନବମ ଓ ଦଶମ ଶ୍ରେଣୀର ସାହିତ୍ୟ ବହିରେ ‘ବନେ୍ଦ ଉକ୍ରଳ ଜନନୀ’କୁ ଅନ୍ତର୍ଭୁକ୍ତ କରାଯାଇଛି । ୧୧୨୩ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମାର୍ଟ କ୍ଲାସ/ଇ-ଲାଇବ୍ରେରି/ଲାବୋରେଟୋରି ବ୍ୟାପକ ଭାବେ କାର୍ଯ୍ୟକାରୀ ହେବ । ଏଥିପାଇଁ ପ୍ରତି ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଭାବେ ଇ-କଣ୍ଟେଟ ସମୃଦ୍ଧ କରାଯିବ । ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ୩୨ ହଜାର ୪୪୭ଟି ବିଦ୍ୟାଳୟ ସାମିଲ ହୋଇଛି । ଆଗାମୀ ଦିନରେ ଅଧିକରୁ ଅଧିକ ପ୍ରାଥମିକ ବିଦ୍ୟାଳୟକୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।
Powered by Froala Editor