ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଏମିତି ଗର୍ଜିଲେ ଆନ୍ଧ୍ରବାସୀ
ପଟାଙ୍ଗି : ନିଜ ଅଞ୍ଚଳର ବିକାଶକୁ ଗୁରୁତ୍ୱ ନ ଦେଇ ପଡେ଼ାଶୀ ରାଜ୍ୟର ଗାଁକୁ ଅକ୍ତିଆର ପାଇଁ ଚକ୍ରାନ୍ତ । ଆନ୍ଧ୍ରର ୨୦ଗାଁର ଅବସ୍ଥା ନ କହିବା ଭଲ । ଗାଁକୁ ରାସ୍ତା ନାହିଁ, ପିଇବାକୁ ବିଶୁଦ୍ଧ ଜଳ ମିଳୁନି । ତେଣୁ ଆମେ ଆନ୍ଧ୍ର ଛାଡ଼ି ଓଡ଼ିଶାରେ ମିଶିବାକୁ ନିଷ୍ପତ୍ତି ନେଇଛୁ । ଓଡ଼ିଶା ସରକାର ଆମେ ନିବେଦନ ଶୁଣନ୍ତୁ । ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଏମିତି ଗର୍ଜିଛନ୍ତି ଆନ୍ଧ୍ରବାସୀ । ଆନ୍ଧ୍ରର ଅନୁପ୍ରବେଶକୁ ରୋକିବାକୁ କୋଟିଆରେ ଡେରା ପକାଇଥିଲେ ଓଡ଼ିଶାର ନେତା । ଏହି ଖବର ଶୁଣି ସାଲୁର ମଣ୍ଡଳର ପୂର୍ବତନ ଉପାଧ୍ୟକ୍ଷା ମାଳତୀ ଦୋରା କିଛି ସମର୍ଥକଙ୍କ ସହ ଫଗୁଣସିନେରୀ ଗାଁରେ ପହଞ୍ଚିଥିଲେ । ଏଠାରେ ସେ ଆନ୍ଧ୍ର ସରକାରଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ । ଓଡ଼ିଶାରେ ସାମିଲ ହେବାକୁ ଚାହୁଥିବା ପ୍ରକାଶ କରିଥିଲେ । ଆନ୍ଧ୍ର ସରକାର ତାଙ୍କ ଅଞ୍ଚଳକୁ ଅଣଦେଖା କରି ଚାଲିଥିବା ବେଳେ ସାଲୁର ବିଧାୟକ ରାଜନ ଦୋରା ୪ଥର ଏହି ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି । କିନ୍ତୁ ନିଜ ଅଞ୍ଚଳର କୌଣସି ବିକାଶ କରିନାହାନ୍ତି । ଅନ୍ୟପଟେ ଓଡ଼ିଶା ସରକାର କୋଟିଆ ଅଞ୍ଚଳକୁ ଗୁରୁତ୍ୱ ଦେଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ରାସ୍ତାଘାଟର ସୁବିଧା ସହ ଡାକ୍ତରଖାନା ଏବଂ ବିଦ୍ୟାଳୟ ଆଦି ନିର୍ମାଣ କରିଛନ୍ତି । ଏହି ନିର୍ମାଣ ତୁଳନାରେ ଆନ୍ଧ୍ର ସରକାର କିଛି କରିନଥିବା ଅଭିଯୋଗ କରିଥିଲେ । ଆନ୍ଧ୍ରବାସୀଙ୍କ ଏମିତି କ୍ଷୋଭ ଶୁଣିବା ପରେ ଉପସ୍ଥିତ ଥିବା ୫ଜଣ ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୧ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ଭାବେ ଦେବେ ବୋଲି ଘୋଷଣା କରିଥିଲେ । ଏପରିକି ସେହିଠାରେ ହିଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଗ୍ରୀମ ୫୦ହଜାର ଟଙ୍କା ପ୍ରଦାନ କରିଥିଲେ ।
Powered by Froala Editor