ପତକା ଉତ୍ତୋଳନ କରି ଏହା କହିଲେ ନବୀନ

ଭୁବନେଶ୍ଵର: ଆଜି ଦେଶ ପାଳନ କରୁଛି ୭୫ତମ ସ୍ଵାଧିନତା ଦିବସ। ଏହି ଅବସରରେ ଭୁବନେଶ୍ଵର ପ୍ରଦର୍ସନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନ ଏବଂ କରୋନା ଲଢେଇରେ ଶହୀଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହାପୁରୁଷଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହକିରେ ଓଡ଼ିଶାର ଅବଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ୨୦୧୮ରେ ଓଡ଼ିଶା ହକି ଦଳର ପ୍ରାୟୋଜକ ହୋଇଥିଲା। ଏହାର ସୁଫଳ ଏବେ ମିଳିଛି। ଅଲମ୍ପିକରେ ଭାରତୀୟ ହକି ଦଳ ପଦକ ଜିତିଛି। କୋଭିଡ୍ ମୁକାବିଲାରେ ଓଡ଼ିଶା ଅନ୍ୟମାନଙ୍କୁ ବାଟ ଦେଖାଇଛି। ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଇ ଜୀବନ ବଞ୍ଚାଇଛୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୭୫ ବର୍ଷ ଗୋଟିଏ ଦେଶ ପାଇଁ, ଜାତି ପାଇଁ ବହୁତ ବଡ ସମୟ ନହେଲେ ମଧ୍ୟ ଏହାର ବିଶେଷ ଗୁରୁତ୍ଵ ରହିଛି। ଭାରତର ଗଣତନ୍ତ୍ରକୁ ଆମର ସବୁଠାରୁ ବଡ ସଫଳତା ଭାବରେ ବର୍ଣ୍ଣନା କରି ଦେଶର ବିକାଶ ପ୍ରକ୍ରିୟାରେ ଏହା ସମସ୍ତଙ୍କୁ ଭାଗୀଦାର କରିବାରେ ସଫଳ ହୋଇଛି । ୪୦ ବର୍ଷର ବ୍ୟବଧାନ ପରେ ଭାରତୀୟ ହକି ଟୋକିଓ ଅଲମ୍ପିକ୍ସରେ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଆମ ଖେଳାଳୀମାନଙ୍କ ପାଇଁ ସାରା ଦେଶ ଗର୍ବିତ ବୋଲି କହିଥିଲେ । ଭାରତୀୟ ହକି ଦଳକୁ ବିଶ୍ଵର ଶ୍ରେଷ୍ଠ ଦଳ ଭାବରେ ଗଢି ତୋଳିବା ପାଇଁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସମୟରେ ଇନଭେଷ୍ଟମେଣ୍ଟ ଇନ ୟୁଥ ଇଜ୍ ଇନଭେଷ୍ଟମେଣ୍ଟ ଫର ଫ୍ୟୁଚର କଥା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫-ଟି ଉପକ୍ରମରେ ପ୍ରଥମ ପର୍ୟ୍ୟାୟରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଇଛି । ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କୋଭିଡ ମହାମାରୀକୁ ବିଶ୍ଵ ଇତିହାସର ସବୁଠାରୁ ବଡ ସ୍ଵାସ୍ଥ୍ୟ ସମସ୍ୟା ଭାବରେ ବର୍ଣ୍ଣନା କରି ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍ସିଜେନ ନିରନ୍ତର ଭାବରେ ଯୋଗାଇ ଓଡ଼ିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।
ଓଡିଶାର ଗୌରବମୟ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଆଜି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରୁଛି । ସମସ୍ତଙ୍କ ସହଯୋଗରେ ଓଡିଶା ଆଗାମୀ ଦିନରେ ତାର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ ।
Powered by Froala Editor