ସିଧାସଳଖ ନିର୍ବାଚିତ ହେବେ ମହାନଗର ନିଗମ ମେୟର
ଭୁବନେଶ୍ୱର : ମହାନଗର ନିଗମ ମେୟର ଓ ପୌରପାଳିକା /ଏନଏସି ଅଧ୍ୟକ୍ଷମାନେ ସିଧାସଳଖ ନିର୍ବାଚିତ ହେବେ । ପୂର୍ବଭଳି ସେମାନେ ଆଉ ପରୋକ୍ଷରେ ନିର୍ବାଚିତ ହେବେନାହିଁ । ଭୋଟରମାନେ ସେମାନଙ୍କୁ ସିଧାସଳଖ ନିର୍ବାଚିତ କରିବେ । ଫଳରେ ମେୟର ଓ ପୌରାଧ୍ୟକ୍ଷମାନେ ଆହୁରି କ୍ଷମତାଶାଳୀ ଓ ପ୍ରଭାବଶାଳୀ ହେବେ । ପୂର୍ବଭଳି ସେମାନେ ଆଉ ଦି ଚାରି ହଜାର ଭୋଟ ପାଇ କାଉନସିଲର କିମ୍ବା କର୍ପୋରେଟର ହେବେନାହିଁ । ସିଧାସଳଖ ଭାବେ ସେମାନେ ତିରିଶ ଚାଳିଶ ହଜାରରୁ ନେଇ ଲକ୍ଷାଧିକ ଭୋଟ ପାଇବାର ସମ୍ଭାବନା ରହିଛି । ଫଳରେ ରାଜନୈତିକସ୍ତରରେ ସେମାନଙ୍କ ଦବଦବା ଢେ଼ର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
୨୦୧୮ ସେପ୍ଟ୍ଟେମ୍ବରରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା । ପାଖାପାଖି ୩ ବର୍ଷ ପରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଗତକାଲି ଓଡ଼ିଶା ଗେଜେଟରେ ପ୍ରକାଶ କରି ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି ସରକାର । ୩୦ ଦିନ ଭିତରେ ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପଠାଇପାରିବେ । ନୂଆ ବ୍ୟବସ୍ଥା ଅନୁଯାୟୀ ପୌର ନିର୍ବାଚନ ସମୟରେ କାଉନସିଲର / କର୍ପୋରେଟର ଓ ମେୟର/ ଅଧ୍ୟକ୍ଷ ପଦବି ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ । ମହାନଗର ନିଗମ/ପୌରପାଳିକା/ଏନଏସିର ଜନସଂଖ୍ୟା ଆଧାରରେ ମେୟର/ ଅଧ୍ୟକ୍ଷ ପଦବି କେଉଁ ବର୍ଗର ହେବେ ତାହା ସ୍ଥିର ହେବ । ମତଦାନ କେନ୍ଦ୍ରରେ କାଉନସିଲର/କର୍ପୋରେଟର ପାଇଁ ଗୋଟିଏ ଏବଂ ମେୟର/ଅଧ୍ୟକ୍ଷ ପାଇଁ ଆଉ ଗୋଟିଏ ଭୋଟବାକ୍ସ ରହିବ ।
Powered by Froala Editor