ଜମ୍ମୁ-କାଶ୍ମୀରରେ ମାତ୍ର ଦୁଇ ଜଣ ସମ୍ପତ୍ତି କିଣିଛନ୍ତି, କାହିିଁକି ଜାଣନ୍ତୁ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ୩୭୦ ଧାରାରେ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ୨୦୧୯ ଅଗଷ୍ଟରେ ଉଚ୍ଛେଦ ହେବା ପରେ ଏଠାରେ ବାହାର ରାଜ୍ୟର ମାତ୍ର ଦୁଇ ଜଣ ବ୍ୟକ୍ତି ଦୁଇଟି ସ୍ଥାବର ସମ୍ପତ୍ତି କିଣିଛନ୍ତି । ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ବାହାର ରାଜ୍ୟର କେତେ ଲୋକ ଜମି କିଣିଛନ୍ତି ଓ କେତେ ଲୋକ କିଣିବାକୁ ଆଗ୍ରହୀ ବୋଲି ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ବାହାର ରାଜ୍ୟର ଲୋକଙ୍କୁ ଏଠାରେ ଜମି କିଣିବାରେ କୌଣସି କଠିନତାର ସମ୍ମୁଖୀନ ହେବାକୁ ପଡ଼ୁଛି କି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଏ ପର୍ଯ୍ୟନ୍ତ ସେପରି କିଛି ଦୃଷ୍ଟାନ୍ତ ସରକାରଙ୍କ ନଜରକୁ ଆସି ନାହିଁ । ପୂର୍ବରୁ ବାହାର ରାଜ୍ୟର ଲୋକ ଜମ୍ମୁ-କାଶ୍ମୀରରେ ଜମି ବା ସ୍ଥାବର ସମ୍ପତ୍ତି କିଣିପାରିବେ ନାହିଁ କିମ୍ବା ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ ବୋଲି ନିୟମ ଥିଲା । ୩୭୦ ଧାରା ଉଚ୍ଛେଦ ପରେ ସେହି ନିୟମରେ ପରିବର୍ତ୍ତନ ହୋଇଛି । ନୂତନ ନିୟମ ଅନୁସାରେ ଯେଉଁମାନେ ଏଠାରେ ୧୫ ବର୍ଷ ବା ତଦୂର୍ଦ୍ଧ୍ୱ କାଳ ଧରି ବାସ କରିଆସୁଛନ୍ତି, ସେମାନେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ ଓ ସ୍ଥାୟୀ ବାସିନ୍ଦା ହୋଇପାରିବେ । ତା’ଛଡ଼ା ଯେଉଁ କେନ୍ଦ୍ର ସରକାରୀ କର୍ମଚାରୀ ଏଠାରେ ଅନ୍ତତଃ ୧୦ ବର୍ଷ ଚାକିରି କରିଛନ୍ତି, ସେମାନେ ବା ସେମାନଙ୍କ ସନ୍ତାନସନ୍ତତି ବି ଏଠାରେ ସ୍ଥାୟୀ ବାସିନ୍ଦା ହେବା ସହ ଜମି ବା ଘର କିଣିପାରିବେ ।
Powered by Froala Editor