ଇସ୍ତଫା ଦେଲେ ମହିଳା ହକି ଟିମ କୋଚ

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମକୁ ସେମିଫାଇନାଲ ପର୍ୟ୍ୟନ୍ତ ପହଂଚାଇଥିବା ମୁଖ୍ୟ ପ୍ରଶିକ୍ଷକ ଶୋର୍ଡ ମାରିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟିମ ଇଣ୍ଡିଆ ମ୍ୟାଚ ହାରିବା ପରେ ଶୁକ୍ରବାର ସେ କହିଥିଲେ କି ଅଲମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ମ୍ୟାଚ୍ ପର୍ୟ୍ୟନ୍ତ ଦଳ ସହ ତାଙ୍କର ଦାୟିତ୍ୱ ଥିଲା ।
ସୂଚନା ଥାଉକି ଶୋର୍ଡ ମାରିନ ୨୦୧୭ ମସିହାରେ ଭାରତୀୟ ହକି ଟିମର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ । ହେଲେ ଟୋକିଓ ଅଲିମ୍ପିକ୍ସରେ ଭାରତ ଓ ଗ୍ରେଟ୍ ବ୍ରିଟେନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ଶେଷର ମାତ୍ର କେଇ ଘଂଟା ମଧ୍ୟରେ ସେ କୋଚ୍ ପଦରୁ ଇସ୍ତଫା ଦେଉଥିବା ନେଇ ଘୋଷଣା କରିଥିଲେ । ସେ ଏକ ଅନଲାଇନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି “ମୋର କୌଣସି ଯୋଜନା ନାହିଁ, ଏହା ଭାରତୀୟ ଖେଳାଳୀଙ୍କ ସହ ମୋର ଶେଷ ମ୍ୟାଚ” । ଏହାପରେ ଭାରତୀୟ ମହିଳା ହକି ଦଳର ଦାୟିତ୍ୱ ଅନାଲିଟିକାଲ କୋଚ ଜାନେକା ସୋପମ୍ୟାନଙ୍କ ଉପରେ ରହିବ ।
ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜାନେକା ସୋପମ୍ୟାନ ବର୍ତ୍ତମାନ ମାରିନଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିବେ । କହିରଖୁ କି ମାରିନଙ୍କୁ ପ୍ରଥମେ ୨୦୧୭ ରେ ମହିଳା ହକି ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ତା’ ପରେ ତାଙ୍କୁ ପୁରୁଷ ହକିଦଳର ପ୍ରଶିକ୍ଷକ ଭାବେ ବି ନିଯୁକ୍ତ କରାଯାଇଥିଲା । ତେବେ ୨୦୧୮ ରେ ଶୋର୍ଡ ମାରିନଙ୍କୁ ପୁଣି ମହିଳା ହକି ଟିମର କୋଚ ଭାବେ ନିଯୁକ୍ତ କରାଯାଇଥିଲା । ଶୋର୍ଡ ମାରିନ ନେଦରଲାଣ୍ଡ ପାଇଁ ଖେଳିଛନ୍ତି । ଏହାସହ ତାଙ୍କ ତତ୍ତ୍ୱାବଧାନରେ ନେଦରଲାଣ୍ଡ ୨୧ ବର୍ଷରୁ କମ୍ ମହିଳା ବିଶ୍ୱକପର ଟାଇଟଲ ଜିତିଥିଲା ଓ ବରିଷ୍ଠ ମହିଳା ଦଳ ୨୦୧୫ ହକି ବିଶ୍ୱକପ୍ ଲିଗ ସେମିଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।
Powered by Froala Editor