ଇକୋ ରିଟ୍ରିଟ୍ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ଚଳିତ ପର୍ଯ୍ୟଟନ ଋତୁ ପାଇଁ ଆରମ୍ଭ ହେଲା ଇକୋ ରିଟ୍ରିଟ୍ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ୍ ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ତିନୋଟି ପର୍ଯ୍ୟଟନସ୍ଥଳୀ ଯଥା ଦାରିଙ୍ଗବାଡ଼ି (କନ୍ଧମାଳ), ସାତକୋଶିଆ (କଟକ) ଓ ହୀରାକୁଦ (ସମ୍ବଲପୁର) ଠାରେ ଇକୋ ରିଟ୍ରିଟ୍ ୨୦୨୬–୨୭ର ଉଦ୍ଘାଟନ କରାଯାଇଛି । ଏହି ତିନୋଟି ସ୍ଥାନରେ ମୋଟ ୧୨୫ଟି ବିଳାସପୂର୍ଣ୍ଣ ଟେଣ୍ଟର ସ୍ଥାପନ କରାଯାଇଛି । ଏହା ପ୍ରକୃତି, ବିଳାସପୂର୍ଣ୍ଣ ଆତିଥ୍ୟ ଓ ଅନୁଭୂତିମୂଳକ ପର୍ଯ୍ୟଟନର ଏକ ନିଆରା ସମନ୍ଵୟ । ଏଠାରେ ପର୍ଯ୍ୟଟକମାନଙ୍କୁ ପାରମ୍ପରିକ ହୋଟେଲ୍ ଓ ରିସର୍ଟଠାରୁ ଭିନ୍ନ ଭାବେ ପ୍ରାକୃତିକ ପରିବେଶ ମଧ୍ୟରେ ବିଳାସପୂର୍ଣ୍ଣ ଟେଣ୍ଟ୍ ଆବାସ ସହିତ ଦୁଃସାହସିକ କାର୍ଯ୍ୟକଳାପ, ସ୍ଥାନୀୟ ଖାଦ୍ୟ ଓ ଆଞ୍ଚଳିକ ସଂସ୍କୃତିର ଅନୁଭୂତି ମିଳିପାରିବ ।ଚଳିତ ବର୍ଷ ହୀରାକୁଦ, ସାତକୋଶିଆ, ଦାରିଙ୍ଗବାଡ଼ି ସମେତ ତଳମାଳି, କୋଲାବ, ସୋନାପୁର, କୁସୁମୀ, ସହ କୋଣାର୍କ ଭଳି ୮ଟି ସ୍ଥାନରେ ଇକୋ ରିଟ୍ରିଟ୍ କରାଯିବାକୁ ଯୋଜନା କରିଛି ପର୍ଯ୍ୟଟନ ବିଭାଗ । ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ମଡେଲ ବ୍ୟବସ୍ଥାରେ ପର୍ଯ୍ୟଟନ ବିଭାଗ ଚୟନିତ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିମାନଙ୍କୁ ଇକୋ ରିଟ୍ରିଟ୍ର ପ୍ରତିଷ୍ଠା ଓ ପରିଚାଳନା ପାଇଁ କେବଳ ଆବଶ୍ୟକୀୟ ଭାଏବିଲିଟି ଗ୍ୟାପ୍ ସହାୟତା ପ୍ରଦାନ କରାଯାଇଛି । ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିକୁ ଦାରିଙ୍ଗବାଡ଼ିରେ ୨୫ଟି ଟେଣ୍ଟକୁ ସର୍ବନିମ୍ନ ୧୫୦ ଦିନ ପର୍ଯ୍ୟନ୍ତ, ହୀରାକୁଦରେ ୫୦ଟି ଟେଣ୍ଟକୁ ସର୍ବନିମ୍ନ ୧୨୦ ଦିନ ପର୍ଯ୍ୟନ୍ତ ଏବଂ ସାତକୋଶିଆରେ ୫୦ଟି ଟେଣ୍ଟକୁ ସର୍ବନିମ୍ନ ୧୫୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବାକୁ ଚୁକ୍ତି ସ୍ବାକ୍ଷର କରାଯାଇଛି ।
Powered by Froala Editor