କିନ୍ନରଙ୍କ କବଜାରେ ବରମୁଣ୍ଡା ବସଷ୍ଟାଣ୍ଡ, ହାବିଲଦାରଙ୍କ ମୁଣ୍ଡ ଫଟେଇଲେ କିନ୍ନର

ଭୁବନେଶ୍ୱର : କିନ୍ନରଙ୍କ କବଜାରେ ଏବେ ବରମୁଣ୍ଡା ବସଷ୍ଟାଣ୍ଡ । ଯାତ୍ରୀଙ୍କୁ ଲୁଟପାଟ କରିବା ସହିତ ବିରୋଧ କଲେ ମାଡ ମାରିବାକୁ ମଧ୍ୟ ପଛାଉନାହାନ୍ତି । ସ୍ଥିତି ଏଭଳି ଯେ ଜଣେ ପୁଲିସ ହାବିଲଦାର କିନ୍ନରଙ୍କ ଲୁଟପାଟର ବିରୋଧ କରିବାକୁ ଯାଇ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । କିନ୍ନରଙ୍କ ନିସ୍ତୁକ ମାଡରେ ତାଙ୍କ ମୁଣ୍ଡ ଫାଟି ଯାଇଛି । ଆହତ ପୁଲିସ କର୍ମଚାରୀ ହେଉଛନ୍ତି ବରମୁଣ୍ଡା ବସଷ୍ଟାଣ୍ଡ ଫାଣ୍ଡିର ହାବିଲଦାର ଦିନେଶ ବିଶ୍ୱାଳ । ମିଳିଥିବା ସୂଚନା ମୁତାବକ ରାତି ପ୍ରାୟ ୯ଟାରେ ୮ ଜଣ କିନ୍ନର ଜଣେ ଯାତ୍ରୀଙ୍କୁ ଟଣାଓଟରା କରିବା ସହିତ ତାଙ୍କ ପାଖରୁ ଟଙ୍କା ଓ ଲଗେଜ ବ୍ୟାଗ ଛଡେ଼ଇବାକୁ ଚେଷ୍ଟା କରୁଥିଲେ । ଖବର ପାଇ ହାବିଲଦାର ଶ୍ରୀ ବିଶ୍ୱାଳ ଆଉ ଜଣେ ସହକର୍ମୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ଯାତ୍ରୀଙ୍କୁ କାହିଁକି ଲୁଟପାଟ କରୁଛ କହି ସେ ବୁଝାସୁଝା କରିବା ସମୟରେ କିଛି କିନ୍ନର ତାଙ୍କୁ ଘେରି ଯାଇଥିଲେ । ଏହା ପରେ ଏକ ଲୁହା ରଡରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ପୁଲିସକୁ ମାଡ ମାରୁଥିବା ଦେଖି ସ୍ଥାନୀୟ କିଛି ଯୁବକ ଏହାକୁ ବିରୋଧ କରିଥିଲେ । ଖବର ପାଇ କିନ୍ନର ଗୋଷ୍ଠୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଫଳରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଉତ୍ତ୍ୟକ୍ତ ଲୋକ ଓ କିନ୍ନରଙ୍କ ମଧ୍ୟରେ ମାରପିଟ ବଢ଼ିଥିଲା । ଲୋକେ ବଢ଼ୁଥିବା ଦେଖି କିଛି କିନ୍ନର ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ୬ ଜଣଙ୍କୁ ପୁଲିସ କାବୁ କରିଥିବା ଜଣାପଡ଼ିଛି ।
Powered by Froala Editor