ତରକାରୀ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ
ଭୁବନେଶ୍ବର: ସାମାନ୍ୟ ତରକାରୀକୁ ନେଇ ଘରୋଇ କଳହର କରୁଣ ପରିଣତି। ରାଗରେ ଅନ୍ଧ ହୋଇ ୧୫ ବର୍ଷର ବୈବାହିକ ସମ୍ପର୍କକୁ ଭୁଲିଗଲେ ସ୍ୱାମୀ। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଭଳି ଏକ ବୀଭତ୍ସ ଘଟଣା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଅନ୍ତର୍ଗତ ପଦୁଗୁଡ଼ା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ହେଲେ ୩୨ ବର୍ଷୀୟା କବିତା ସାଉଁତା। ସ୍ୱାମୀଙ୍କ ନାମ ରାବ ସାଉଁତା।
ସୂଚନା ଅନୁଯାୟୀ, ସାମାନ୍ୟ ତରକାରୀକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ବିଳମ୍ବିତ ରାତିରେ କବିତା ଶୋଇଥିବା ସମୟରେ ସ୍ୱାମୀ ରାବ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ କବିତାଙ୍କ ମୃତ୍ୟୁ ଘଟିଥିଲା। ଦୀର୍ଘ ୧୫ ବର୍ଷର ସଂସାର ଓ ବୈବାହିକ ସମ୍ପର୍କ ମୁହୂର୍ତ୍ତକର ଉତ୍ତେଜନାରେ ରକ୍ତରଞ୍ଜିତ ହୋଇପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଏସ୍ଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସାମାନ୍ୟ ଘରୋଇ ବିବାଦରୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିବା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।
Powered by Froala Editor