ଭୟଙ୍କର ବନ୍ୟା ପରିସ୍ଥିତି: ୨ ମୃତ
ବ୍ରହ୍ମପୁର : ୧୯୯୦ ମସିହା ପରେ ଗଞ୍ଜାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ଅନ୍ୟତମ ବ୍ୟାବସାୟିକ ପେଣ୍ଠସ୍ଥଳ ଆସିକା ସହର ଋଷିକୁଲ୍ୟା ନଦୀ ଜଳରେ ଉବୁଟୁବୁ ହୋଇଛି। ଜିଲାର ୨୨ବ୍ଲକ୍ର ପ୍ରାୟ ୩୦୦ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲକ୍ଷାଧିକ ଲୋକ ଦୁର୍ଦ୍ଦଶାରେ ଅଛନ୍ତି। ଋଷିକୁଲ୍ୟାରେ ବନ୍ୟା ଯୋଗୁ ସୋରଡ଼ା ଓ ଆସିକା ଭଳି ସହର ୪ ଦିଗରୁ ବିଚ୍ଛିନ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ ଯୋଗୁ ଜିଲାର ୨ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରହ୍ମପୁର ସହର ସମେତ ପାତ୍ରପୁର, ଭଞ୍ଜନଗର, ସାନଖେମୁଣ୍ଡି, ଧରାକୋଟ, ଚିକିଟି, ଦିଗପହଣ୍ଡି, ସୋରଡା, ପୁରୁଷୋତ୍ତମପୁର ଓ ଜଗନ୍ନାଥପ୍ରସାଦ ବ୍ଲକ ଅଧିକ ପ୍ରଭାବିତ ହୋଇଛି। ଲୋକଙ୍କ ଘରେଘରେ ଆବର୍ଜନା ପାଣି ଲହଡ଼ି ଭାଙ୍ଗୁଛି। ତଟସୁରକ୍ଷା ବାହିନୀ ହେଲିକପ୍ଟର ଯୋଗେ ବନ୍ୟା ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ଚଳିତ ବର୍ଷ ଜିଲାରେ ହୋଇଥିବା ବର୍ଷା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି।
ବ୍ରହ୍ମପୁରର ଏକାଧିକ ସହରତଳି ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ସାପୁଆ ଓ ବାହାନା ନାଳ ଭାଙ୍ଗି ଜନବସତିରେ ବର୍ଷାଜଳ ପଶିବାରୁ ଗୋସାଇଁନୂଆଗାଁ ଓ ଜାତୀୟ ରାଜପଥ-୧୬ ଯାତାୟାତ ବନ୍ଦ ହୋଇଯାଇଛି। ପୁରୁଣା ବ୍ରହ୍ମପୁର ଓ ବସ୍ତି ଅଞ୍ଚଳରେ ଲୋକଙ୍କ ଶୋଇବା ଘରେ ଅଣ୍ଟାଏ ପାଣି ପଶିଯାଇଛି ା ବାହାନା ନାଳ ବନ୍ୟାରେ ଅଧିକାଂଶ ନଗର ଏବଂ ସହରତଳି ଅଞ୍ଚଳବାସୀଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି। ୨୦୧୩ ଫାଇଲିନ ମହାବାତ୍ୟା ବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହାର ପୁନରାବୃତ୍ତି ବ୍ରହ୍ମପୁର ସହରରେ ଦେଖିବାକୁ ମିିଳିଛି।
ଧରାକୋଟ ବ୍ଲକର ଦୁଇଟି ଗାଁ ଭିତରେ ବନ୍ୟା ପାଣି ପଶିଯିବାରୁ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଛନ୍ତି। ସେଠାକୁ ଓଡ୍ରାଫ ଦଳର ଡଙ୍ଗା ପହଞ୍ଚିବା ସମ୍ଭବ ନ ହେବାରୁ ତଟସୁରକ୍ଷା ବାହିନୀର ହେଲିକପ୍ଟର ଜରିଆର ବିପନ୍ନଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି, ସୋରଡ଼ା ବ୍ଲକ୍ର ଋଷିକୁଲ୍ୟା ନଦୀ ସମେତ ଜରଉ, ପଦ୍ମା, ଅଢାଙ୍ଗୀ ନଦୀରେ ମାତ୍ରାଧିକ ବନ୍ୟା ଜଳ ପ୍ରବାହିତ ହେବା ସହ ସୋରଡ଼ା ଜଳ ଭଣ୍ଡାରରେ ଜଳଧାରଣ କ୍ଷମତାରୁ ଅଧିକ ଜଳ ପ୍ରବେଶ କରୁଛି। ସୋରଡ଼ା-ବ୍ରହ୍ମପୁର ୫୯ ନଂ ଜାତୀୟ ରାଜପଥର ତତାବାଲି, ସୁରମଣି, ନୂଆଗଡ଼ ଠାରେ ରାସ୍ତା ଉପରେ ୧୦ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବନ୍ଦ ହୋଇଯାଇଛି। ଜଳ ନିଷ୍କାସନ ମାର୍ଗଠାରେ ଭାସି ଯାଇ ବରାଡ଼ି ଗ୍ରାମର ପ୍ରତାପ ନାୟକଙ୍କ ପୁଅ ପାଣ୍ଡା ନାୟକ(୩୬)ଙ୍କ ମୃତ୍ୟୁ ହୋଇଯାଇଛି। ଆସିକାଠାରେ ଋଷିକୁଲ୍ୟା ଓ ବଡ଼ନଦୀରେ ବନ୍ୟା ଜଳ ଆସି ଅନେକ ଗାଁ ଜଳବନ୍ଦୀ ହୋଇପଡିଛି। ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସାନଖେମୁଣ୍ଡି ବ୍ଲକର ପ୍ରାୟ ୪୦ ଗାଁ ଓ ରାସ୍ତା ଜଳବନ୍ଦୀ ହୋଇପଡ଼ିଛି। ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ଘେରରେ ଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି। ଦିଗପହଣ୍ଡି ବ୍ଲକର ଜକର ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀକୁ ଗଙ୍ଗାପୁର ଓ ଚୈତନ୍ୟପ୍ରସାଦ ଗ୍ରାମର ୬୦ରୁ ଊର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ସମସ୍ତେ ସେଠାରେ ଖାଇ ସାରି ନିଜ ଘରକୁ ଫେରିଥିଲେ। ସେଥିମଧ୍ୟରୁ ଚୈତନ୍ୟ ପ୍ରସାଦ ଗାଁର ବିଜୟ ନାୟକ(୫୦) ନିଜ ଘରକୁ ଫେରିବା ପରେ ବାରମ୍ବାର ବାନ୍ତି କରିଥିଲେ। ଗାଁରେ ଜଳବନ୍ଦୀ ସମସ୍ୟା ଥିବାରୁ ତାଙ୍କୁ ଠିକ ସମୟରେ ଚିକିତ୍ସା ମିଳିନଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏପଟେ ଲଗାଣ ବର୍ଷା ଯୋଗୁ କବିସୂର୍ଯ୍ୟନଗରରେ ପୁଲିସ ଫାଣ୍ଡି ଗୃହର କାନ୍ଥ ଭୁଶୁଡି ପଡ଼ିଥିବା ବେଳେ ଅନେକ ଅଞ୍ଚଳରେ ଲୋକଙ୍କ ଘର ଓ ସ୍କୁଲ କାନ୍ଥ ଭାଙ୍ଗିଯାଇଛି। ପୁରୁଷୋତ୍ତମପୁର ସହରରେ ୪ ଫୁଟର ବନ୍ୟା ଜଳ ପ୍ରବେଶ କରିଛି । ବିଭିନ୍ନ ବ୍ଲକରେ ହଜାର ହଜାର ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ଏକାଧିକ କାର୍ ଓ ଅଟୋ ଉପରେ ଗଛ ପଡିଯିବାରୁ ନଷ୍ଟ ହୋଇଯାଇଛି। ଜିଲାର ଲକ୍ଷାଧିକ ହେକ୍ଟର ଧାନ ଚାଷ ଜମିରେ ବର୍ଷାଜଳ ଜମି ରହିଛି। ଶତାଧିକ ପଶୁ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ଅଙ୍ଗନବାଡ଼ି, ସ୍କୁଲ ଓ କଲେଜକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଜିଲାରେ ୫୨ଟି ଏନଡିଆରଏଫ ଏବଂ ଓଡ୍ରାଫ ଦଳ, ୨୭ ଅଗ୍ନିଶମ ବାହିନୀ, ୪୦ରୁ ଅଧିକ ସରକାରୀ ଓ ବେସରକାରୀ ବୋଟ ନିୟୋଜିତ ହୋଇଛି।
Powered by Froala Editor