ବର୍ଷା ଜାରି: ସୁନ୍ଦରଗଡ଼ ଓ ବରଗଡ଼କୁ ରେଡ୍ ଆଲର୍ଟ
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ଏପରି ସମୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଗୁରୁବାର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଅନ୍ତର୍ଜାତୀୟ ମଡେଲ ଓ ବିଶେଷଜ୍ଞମାନେ କହୁଥିବାବେଳେ ଏନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। ସୁନ୍ଦରଗଡ଼ ଓ ବରଗଡ଼ ଜିଲାରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଂ ଦିଆଯାଇଛି। ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି।
Powered by Froala Editor