ଆକଳନଠାରୁ ଆଗୁଆ ଆସିଲା ‘ଅର୍ଣ୍ଣବ: ୮ଟି ଜିଲାକୁ ୧୯ କୋଟି ସହାୟତା ପ୍ରଦାନ
ଭୁବନେଶ୍ବର : ଆକଳନଠାରୁ ଆଗୁଆ ଆସିଲା ‘ଅର୍ଣ୍ଣବ’। ୨୮ ତାରିଖ ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା। ମାତ୍ର ଏହାର ଯଥେଷ୍ଟ ପୂର୍ବରୁ ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ ୪ଟା ମଧ୍ୟରେ ୟନମ୍ର ସାମାନ୍ୟ ଦକ୍ଷିଣରେ ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁଛି। ଲ୍ୟାଣ୍ଡଫଲ ବେଳେ ପବନର ଗତି ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିଥିଲା। ଝଟ୍କା ୧୫୦କି.ମି. ପର୍ଯ୍ୟନ୍ତ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ଥଳଭାଗ ଛୁଇଁବାର ୨ ଘଣ୍ଟା ପୂର୍ବରୁ ଆନ୍ଧ୍ର ସମେତ ଦକ୍ଷିଣ ଓଡ଼ିଶାର ୫ଟି ଜିଲାରେ ତୁହାକୁ ତୁହା ବର୍ଷା ଓ ପବନ ଆରମ୍ଭ ହୋଇଥିଲା। କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ମଙ୍ଗଳବାର ରାତି ପ୍ରାୟ ୧୦ଟା ସୁଦ୍ଧା ବାତ୍ୟା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ଘଣ୍ଟା ପ୍ରତି ୧୭କି.ମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉପକୂଳ ଆଡ଼କୁ ମୁହାଁଇଥିଲା। ଏହି ସମୟରେ ବାତ୍ୟା କାକିନାଡ଼ାରୁ ଦକ୍ଷିଣ-ପୂର୍ବରେ ୭୦ କି.ମି, ବିଶାଖାପାଟଣାରୁ ଦକ୍ଷିଣରେ ୯୦କି.ମି, ମଚ୍ଛଲିପଟନମ୍ରୁ ପୂର୍ବରେ ୧୧୫ କି.ମି, ବାପଟଲାରୁ ପୂର୍ବ-ଉତ୍ତର-ପୂର୍ବରେ ୧୫୦କି.ମି ଓ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ୧୯୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ତେବେ ସନ୍ଧ୍ୟାରେ ବାତ୍ୟାର କେନ୍ଦ୍ରସ୍ଥଳର ଗତି ୧୮୫କି.ମି. ଘଣ୍ଟା ପ୍ରତି ଥିବାବେଳେ ଏହା ପରବର୍ତ୍ତୀ ସମୟରେ ୧୬୦ କି.ମି.କୁ ଖସିଆସିଥିଲା। ଯାହାକି ଲ୍ୟାଣ୍ଡଫଲ ପ୍ରକ୍ରିୟାକୁ ଆଗୁଆ କରିଥିଲା। ଏହା ଫଳରେ ବାତ୍ୟା ‘ଅର୍ଣ୍ଣବ’ ଦୁର୍ବଳ ରହିଥିବା ଦେଖାଯାଇଥିଲା।
ଆଗକୁ ଏହା ଗତିପଥ ପରିବର୍ତ୍ତନ କରି ଉତ୍ତର-ପଶ୍ଚିମ ଦିଗରେ ଉପକୂଳ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ ଏବଂ ବାପଟଲା ମଧ୍ୟବର୍ତ୍ତୀ ୟନମର ସାମାନ୍ୟ ଦକ୍ଷିଣରେ ଅତି ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିଥିଲା। ୟାନମ୍ରେ ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫କି.ମି ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ଥଳ ବିଶେଷରେ ଏହା ଘଣ୍ଟା ପ୍ରତି ୧୫୦କି.ମି ଛୁଇଁଥିଲା। ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଏବଂ ଗଞ୍ଜାମ ଜିଲାରେ ବର୍ଷା ସହ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୧୦୦ କି.ମି ରହିଥିଲା। ସ୍ଥଳବିଶେଷରେ ଝଟକା ପବନର ବେଗ ୧୧୫ କି.ମି ପର୍ଯ୍ୟନ୍ତ ବହିଥିଲା। ଅନ୍ୟପଟେ, ସମୁଦ୍ର ଅଶାନ୍ତ ରହୁଥିବାରୁ ଓଡ଼ିଶାର ସମସ୍ତ ବନ୍ଦରଗୁଡ଼ିକୁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି।
୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଏବଂ ଗଞ୍ଜାମ ଜିଲାରେ ଅତି ପ୍ରବଳ ବର୍ଷା ସହ ପବନ ବହିବା ସମ୍ଭାବନାକୁ ଦୃଷ୍ଟିରେ ରଖି ରେଡ୍ୱାର୍ଣ୍ଣିଂ ଜାରି ହୋଇଛି। ୨୮ ତାରିଖ ଅପରାହ୍ନରେ ଅର୍ଣ୍ଣବ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବା ଦ୍ବାରା ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାରେ ଏହାର ପ୍ରଭାବ ପଡ଼ିପାରେ। ଏହି ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ଏବଂ ଝଟକା ପବନର ବେଗ ୫୦ କି.ମି ପର୍ଯ୍ୟନ୍ତ ବହିବା ଆକଳନ କରାଯାଇଛି। ଏହି ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
୪୬୬ ବାତ୍ୟା ଆଶ୍ରୟସ୍ଥଳରେ ୪୭,୮୩୦ ଲୋକ
ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ରେ ପ୍ରଭାବିତ ହେବାକୁ ଥିବା ୮ଟି ଜିଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ୪୮ହଜାର ଲୋକ ଥିବା ଚିହ୍ନଟ କରାଯାଇଥିବା ବେଳେ ୪୬୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ୪୭,୮୩୦ଜଣଙ୍କୁ ରଖାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବର୍ଷା-ପବନକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ପୁରୀ, ଖୋରଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଆଦି ୧୬ ଜିଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
Powered by Froala Editor