ଓଡ଼ିଶାର ଯୁବଗୋଷ୍ଠୀ ଯେଉଁ ବଡ଼ ସ୍ୱପ୍ନ ଦେଖିଛନ୍ତି, ତାହା ନିଶ୍ଚିତ ପୂରଣ ହେବ: ମୋଦୀ
ଭୁବନେଶ୍ବର: ଭୁବନେଶ୍ୱରରେ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥାନର ପ୍ରତିଷ୍ଠା ପୂର୍ବ ଭାରତ ବିକାଶର ଏକ ନିଦର୍ଶନ । ଓଡ଼ିଶା ଆଗାମୀ ଦିନରେ ‘ମାଇଣ୍ଡ୍’ରୁ ‘ମାଇକ୍ରୋ ଚିପ୍’ ପର୍ଯ୍ୟନ୍ତ ପ୍ରସ୍ତୁତ କରି ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛି । ଓଡ଼ିଶାର ଯୁବଗୋଷ୍ଠୀ ଯେଉଁ ବଡ଼ ସ୍ୱପ୍ନ ଦେଖିଛନ୍ତି, ତାହା ନିଶ୍ଚିତ ପୂରଣ ହେବ ।’ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ଖୋର୍ଦ୍ଧା ଇନଫୋ ଭ୍ୟାଲି ସ୍ଥିତ ଠାରେ ଆର୍ବିଆଇର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥାନକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତରେ ଗଭର୍ଣ୍ଣାନ୍ସର ଆଭିମୁଖ୍ୟ ବଦଳିଛି । ବିକାଶର ଲାଭ ଏବେ ଭାରତର ସବୁ ବର୍ଗର ଲୋକଙ୍କ ପାଖରେ ପହଂଚୁଛି । ଦିନ ଥିଲା ଯେତେବେଳେ ବିକାଶ କହିଲେ କେବଳ କିଛି ବଡ଼ ସହରକୁ ହିଁ ବୁଝାଉଥିଲା । କିନ୍ତୁ ୨୦୧୪ ପରେ ସରକାରଙ୍କ ଅଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଛି । ସରକାର ଏବେ ‘ନାଗରିକ ଦେବୋ ଭବଃ’ ନୀତି ଅବଲମ୍ବନ କରୁଛନ୍ତି । କଂଗ୍ରେସର ସିଧାସଳଖ ନାଁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ୨୦୧୪ ପୂର୍ବରୁ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଭିନ୍ନ ଥିଲା । ଏକ ନିର୍ଦ୍ଦିଷ୍ଟ ପରିବାର ଲେକେ ଫୋନ୍ କଲେ, ତାଙ୍କ ପାଖକୁ ବ୍ୟାଙ୍କ ବାଲା କୋଟି କୋଟି ଟଙ୍କା ଲୋନ୍ ଯୋଗାଇ ଦେଉଥିଲେ । କିନ୍ତୁ ଗରିବମାନଙ୍କୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଗ୍ୟାରେଣ୍ଟର ଦେବାକୁ ପଡୁଥିଲା । ତେବେ ୨୦୧୪ ପରେ ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ଡିଜିଟାଲ ବ୍ୟାଙ୍କିଂ ଜରିଆରେ ଭାରତର ସବୁ ନାଗରିକଙ୍କ ପାଖରେ ଏବେ ବ୍ୟାକିଂ ବ୍ୟବସ୍ଥା ପହଞ୍ଚିଛି । ବର୍ତ୍ତମାନ ଦେଶରେ ୪୯ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି । ମୁଦ୍ରା ଯୋଜନାରେ ୧୩ କୋଟି ଲୋକ ଉଦ୍ୟୋଗପତି ପାଲଟିଥିବା ବେଳେ ୧୦ କୋଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ କୋଟି କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି । ଦେଶର ୯ କୋଟି ଲୋକଙ୍କୁ ଅଟଳ ପେନସନ ଯୋଜନା ଯୋଗାଇ ଦିଆଯାଉଥିବା ବେଳେ ତହିଁ ମଧ୍ୟରୁ ଓଡ଼ିଶାର ୩୮ ଲକ୍ଷ ଲୋକ ସାମିଲ । ଦେଶ ଉପରେ ହେଉଥିବା ଆର୍ଥିକ ଓ ସାଇବର ଆକ୍ରମଣ ସମ୍ପର୍କରେ ମତ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏବେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ଲଢାଯାଉ ନାହିଁ, ଦେଶକୁ ଆର୍ଥିକ ଦୁର୍ବଳ କରି, ସାଇବର ଆଟାକ କରି ଦେଶ ସହ ଯୁଦ୍ଧ ଲଢାଯାଉଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରିଜର୍ବ ବ୍ୟାଙ୍କ ଗଭର୍ଣ୍ଣର ସଂଜୟ ମାଲହୋତ୍ରା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ ।
Powered by Froala Editor