ମାସ ଶେଷବେଳକୁ ଆସିପାରେ ବାତ୍ୟା
ଭୁବନେଶ୍ୱର: ମାସ ଶେଷବେଳକୁ ବାତ୍ୟା ଆସିପାରେ । ବିଭିନ୍ନ ମଡେଲ୍ ଦେଖାଉଛନ୍ତି, ଆସନ୍ତା ୨୯-୩୦ ତାରିଖବେଳକୁ ବାତ୍ୟା ଉପକୂଳ ଛୁଇଁପାରେ । ଶକ୍ତିଶାଳୀ ରୂପରେ ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ମଧ୍ୟ ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି । ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ । ତୀବ୍ରତା, ସମ୍ଭାବ୍ୟ ଗତିପଥ ନେଇ ସ୍ପଷ୍ଟ କହି ହେବନି । ତଥାପି ବିଭିନ୍ନ ମଡେଲ୍ର ବାତ୍ୟା ପୂର୍ବାନୁମାନ ଓ ଅକ୍ଟୋବର ସଂଯୋଗ ବଢ଼ାଇଛି ଡର ।ଅନ୍ୟପଟେ ବିଶେଷଜ୍ଞ କହିଛନ୍ତି, ସମୁଦ୍ର ଜଳପତ୍ତନର ତାପମାତ୍ରା ଅଧିକ ରହିଥିବାବେଳେ ଏହା ବାତ୍ୟା ଗଠନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ । ପୂର୍ବରୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆକଳନ କରିଛି, ୨୧ ତାରିଖବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ୨୪ ତାରିଖବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । କିନ୍ତୁ, ବିଭିନ୍ନ ଆନ୍ତର୍ଜାତିକ ପାଣିାପଗ ମଡେଲ୍ର ତାଜା ପୂର୍ବାନୁମାନ ହେଲା, ବଙ୍ଗୋପସାଗରରେ ଚଳିତ ମାସ ଶେଷବେଳକୁ ଏକ ବାତ୍ୟା ଆସିପାରେ ।ଆନ୍ତର୍ଜାତିକ ମଡେଲ୍ ଇସିଏମଡବ୍ଲ୍ୟୁଏଫ୍ ଅନୁସାରେ ସମ୍ଭାବ୍ୟ ବାତ୍ୟା ଆସନ୍ତା ୨୯-୩୦ ତାରିଖବେଳକୁ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ । ସମ୍ଭବତଃ ପାରାଦୀପ ପାଖାପାଖି । ବାୟୁମଣ୍ଡଳୀୟ ଚାପରୁ ଏହାର ତୀବ୍ରତା ଶକ୍ତିଶାଳୀ ରହିବା ଅନୁମାନ କରାଯାଉଛି । ସମ୍ଭାବ୍ୟ ଚିତ୍ରରୁ ବାତ୍ୟାର କେନ୍ଦ୍ରସ୍ଥଳରେ ଦର୍ଶାଯାଇଥିବା ବାୟୁମଣ୍ଡଳୀୟ ଚାପରୁ ଏହା ଅତି ଭୀଷଣ ବାତ୍ୟା (ଏକ୍ସଷ୍ଟ୍ରିମଲି ସିଭିୟର ସାଇକ୍ଲୋନ) ରୂପ ନେବା ସମ୍ଭାବନା ରହିଛି ।
ଜିଏଫଏସ୍ର ଏଆଇ ମଡେଲ୍ ଅନୁସାରେ ଏହା ଆନ୍ଧ୍ର ଆଡ଼କୁ ଯାଇପାରେ ୨୮-୨୯ବେଳକୁ । ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ କହିଛନ୍ତି, ୨୪ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୨୦ ତାରିଖବେଳକୁ ଏ ନେଇ ଅଧିକ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ । ତେବେ ବର୍ତ୍ତମାନ ସ୍ଥିତିରେ ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କିଛି ବି ସ୍ପଷ୍ଟ କରିନାହିଁ । କିଛି ମଡେଲ୍ ଅନୁସାରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ।
ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁରର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୧୯, ୨୦, ୨୧ ଓ ୨୨ ତାରିଖରେ ବର୍ଷା ସମ୍ଭାବନା ଆହୁରି କମ୍ । କେବଳ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ଅସରାଏ ହାଲୁକା ବର୍ଷା ହୋଇପାରେ ।
Powered by Froala Editor