ଦ୍ୱୈତ ନଗରୀ ରାସ୍ତା ମରାମତିର ସମୀକ୍ଷା କଲେ ମନ୍ତ୍ରୀ, ନୂଆ ଜ୍ଞାନ କୌଶଳକୁ ଆପଣାଇବାକୁ ବୈଠକରେ ଗୁରୁତ୍ବ
ଭୁବନେଶ୍ୱର: ଦଶହରା ପୂର୍ବରୁ ଦ୍ୱୈତ ନଗରୀ ରାସ୍ତା ମରାମତିର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l ଆଜି ଖାରବେଳ ଭାବନ ଠାରେ ଏହି ସମୀକ୍ଷା ବୈଠକ କରିଛନ୍ତି ମନ୍ତ୍ରୀ । ଅଧିକାଂଶ ରାସ୍ତା ମରାମତି ସରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଉପସ୍ଥିତ ବିଧାୟକ ଗଣ l ବଳକା ରାସ୍ତା ମରାମତିକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ କରିବା ପାଇଁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସବୁ ଭିଓପି (ଭେଇକିଲ ଅଣ୍ଡର ପାସ)ର ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l ବିନା ଅନୁମତିରେ ରାସ୍ତା ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ l ନିର୍ମାଣ ବେଳେ ନୂଆ ଜ୍ଞାନ କୌଶଳକୁ ଆପଣାଇବାକୁ ବୈଠକରେ ଗୁରୁତ୍ବ l ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଖରାପ ଅବସ୍ଥାରେ ଥିବା ଅଧିକାଂଶ ରାସ୍ତା ମରାମତି ଶେଷ ହୋଇଥିବା ସୂଚନା ଦିଆଯାଇଥିଲା । ଏଥିସହ ଉପସ୍ଥିତ ବିଧାୟକଗଣ ନିଜ ଅଞ୍ଚଳରେ ତ୍ଵରିତ ବେଗରେ ରାସ୍ତା ମରାମତି ହୋଇଥିବାରୁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ । ତେବେ ମରାମତି ଆବଶ୍ୟକ କରୁଥିବା ବଳକା ଯେଉଁ ଅଳ୍ପ କେତେକ ରାସ୍ତା ଅଛି ତାହାକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ହରିଚନ୍ଦନ ମୁଖ୍ୟ ଯନ୍ତ୍ରୀ ତଥା ଅଧ୍ୟକ୍ଷୀଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଆଗାମୀ ଦିନରେ ନୂତନ କରି ନିର୍ମାଣ ହେବାକୁ ଥିବା ରାସ୍ତା ଗୁଡ଼ିକ ନିର୍ମାଣ ବେଳେ ରାସ୍ତା ଗୁଡ଼ିକ ଯେପରି ଦୀର୍ଘ ଓ ସ୍ଥାୟୀ ହୋଇ ପାରିବ ସେଥି ନେଇ ଆଧୁନିକ ପଦ୍ଧତିକୁ ଆପଣାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଲେ ଯେ, ଏବେ ଦେଖା ଯାଉଛି ଅନେକ ଅନୁଷ୍ଠାନ ବିଭାଗର ବିନା ଅନୁମତିରେ ଭଲ ଥିବା ରାସ୍ତା ଗୁଡ଼ିକୁ ଖୋଳି ପକାଉଛନ୍ତି । ଏହିଭଳି କ୍ଷେତ୍ରରେ ଦାୟିତ୍ବରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀମାନେ ସଜାଗ ରହିବା ସହ ଉକ୍ତ ଅନୁଷ୍ଠାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପରାମର୍ଶ ଦେଇଥିଲେ ।
Powered by Froala Editor