ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଲବର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ: ମୁଖ୍ୟମନ୍ତ୍ରୀ
ଯାଜପୁର : ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଲବର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୧୫୧ଟି ପ୍ରକଳ୍ପର ଭୂମି ପୂଜନ କିମ୍ବା ଉଦ୍ଘାଟନ କରାଯାଇଛି। ଏଥିରେ ୩ ଲକ୍ଷ ୧୧ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ହୋଇଥିବା ବେଳେ ଏହା ଦ୍ୱାରା ୨ ଲକ୍ଷ ୪୦ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ପଥ ଉନ୍ମୁକ୍ତ ହୋଇଛି। ପ୍ରକଳ୍ପକୁ ମିଶାଇଲେ ରାଜ୍ୟରେ ସମୁଦାୟ ୩ ଲକ୍ଷ ୫୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବୁଧବାର ଯାଜପୁର କଳିଙ୍ଗନଗରଠାରେ ରାଜ୍ୟର ୧୪ଟି ଜିଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଏବଂ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋରଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲାରେ ଏସବୁ ଶିଳ୍ପ ପ୍ରକଳ୍ପ ରହିଛି। ଏହାଦ୍ୱାରା ୪୨,୫୧୨ଟି ନିଯୁକ୍ତି ସୃଷ୍ଟି ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଆମର ଓଡ଼ିଆ ପୁଅ-ଝିଅମାନଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇଛୁ। ଏ ପର୍ଯ୍ୟନ୍ତ ୧୨.୦୭ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ସହ ୫୬୦ଟି ଶିଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇସାରିଛି। ଏହା ମାଧ୍ୟମରେ ପ୍ରାୟ ୭ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାର କେନ୍ଦ୍ରରେ ରହିଛି ଓଡ଼ିଶା। ଆଗାମୀ ୧୦ ବର୍ଷ ଭିତରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ଆମେ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ରଖିଛୁ।
ଏହି ସମାରୋହରେ ଜିନ୍ଦଲ ଷ୍ଟେନଲେସ୍ ଲି. (ଜେଏସ୍ଏଲ୍) ଗ୍ରୁପ୍ର କାର୍ବନ୍ ଷ୍ଟିଲ୍ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ସେହିପରି ଟାଟା ଷ୍ଟିଲ୍ର ନୂତନ ଡାଉନଷ୍ଟ୍ରିମ୍ ସୁବିଧା, ସ୍ଲରୀ ପାଇପ୍ଲାଇନ୍, ଗ୍ରାଇଣ୍ଡିଂ ଏବଂ ଫିଲ୍ଟରେସନ୍ ୟୁନିଟ୍ ଆଦି ପ୍ରକଳ୍ପ ରାଜ୍ୟରେ ଉଚ୍ଚ ମୂଲ୍ୟଯୁକ୍ତ ଷ୍ଟିଲ୍ ଉତ୍ପାଦନକୁ ଆହୁରି ମଜଭୁତ କରିବ। ଏହାସହ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ଲିମିଟେଡ୍, ଜଟିଆ ଷ୍ଟିଲ୍ ଲିମିଟେଡ୍, ବିକେ ଉତ୍କଳ ଷ୍ଟିଲ୍ ଏବଂ ଶ୍ରୀ ଏମ୍. କେ. ଷ୍ଟିଲ୍ ଭଳି ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ପ୍ରକଳ୍ପ ଏହି କ୍ଷେତ୍ରର ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ ବୋଲି ଜଣାପଡ଼ିଛି।
କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବକ୍ତବ୍ୟ ରଖିଥିବା ବେଳେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, ମୁଖ୍ୟ ସଚିବ ଅନୁ ଗର୍ଗ, ଜେଏସ୍ଏଲ୍ ଲି. ପରିଚାଳନା ନିର୍ଦେଶକ ଅଭ୍ୟୁଦୟ ଜିନ୍ଦଲ, ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହ ଆରମ୍ଭରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯାଜପୁର ଜିଲାପାଳ ଅମ୍ବର କୁମାର କର ଧନ୍ୟବାଦ ଦେଇଥିଲେ।
Powered by Froala Editor