ଯମୁନା ରହୁଥିବା ଏନକ୍ଲୋଜରକୁ ସ୍ଥାନାନ୍ତରିତ ହେଲା ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆ
ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା ରହୁଥିବା ଏନକ୍ଲୋଜରକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼. ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।
ସେପ୍ଟେମ୍ବର 25 ତାରିଖ ଦିନ ଉକ୍ତ ବାଘ ଶାବକଟିକୁ ଖପାରଖାଇ ଗ୍ରାମରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାକୁ ଫରେଷ୍ଟ୍ କ୍ୟାମ୍ପସକୁ ନିଆଯାଇ ପୃଥକ ଭାବେ ରଖାଯାଇଛି । ପ୍ରାଣୀ ଚିକିତ୍ସକ ଟିମ୍ ଦ୍ୱାରା ତାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସଠିକ୍ ଥିବାର ଜଣାପଡ଼ିଛି । ଏହା ୮ ମାସର ମାଇ ପ୍ରଜାତି ବାଘ ଛୁଆ ଅଟେ । ତାକୁ ୭ ଦିନ ଧରି ଖାଦ୍ୟ ଓ ସପ୍ଲିମେଣ୍ଟ ଦିଆଯାଇଥିଲା । ବର୍ତ୍ତମାନ ତାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ସକ୍ରିୟ ରହିଥିବା ଜଣାପଡ଼ିଛି ।
ସେପଟେ ତା'ଠାରୁ ସଂଗ୍ରହ ହୋଇଥିବା ରକ୍ତ ଓ ମଳ ନମୁନା ଓୟୁଏଟିକୁ ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ରିପୋର୍ଟ ଆସିବା ପରେ କୌଣସି ରୋଗ ବା ସଂକ୍ରମଣ ନଥିବା ଦେଖା ଯାଇଛି । ତେଣୁ ବାଘ ଛୁଆଟିକୁ ୨ ଅକ୍ଟୋବରରେ ଜମୁନା ଏନ୍କ୍ଲୋଜରରେ ଅଭ୍ୟାସ ପାଇଁ ଛାଡ଼ି ଦିଆଯାଇଛି । ସେ ଏନ୍କ୍ଲୋଜର ଭିତରେ ସକ୍ରିୟ ଭାବେ ବିଚରଣ କରୁଛି । ଆଗକୁ ପ୍ରଗତି ଉପରେ ଆଧାର କରି ସ୍ଵାସ୍ଥ୍ୟାବସ୍ଥା ଦେଖି ଜଙ୍ଗଲରେ ଛାଡ଼ିବା ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ଗୋଗିନେନୀ ସୂଚନା ଦେଇଛନ୍ତି ।
Powered by Froala Editor