ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟି ଆର ଆଣ୍ଡ ବି(ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଆଜି (ସୋମବାର) ଅରବିନ୍ଦଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ଭିଜିଲାନ୍ସର ୫ ଜଣ ଡିଏସ୍ପି ଏବଂ ୮ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ସଂଖ୍ୟକ କର୍ମଚାରୀ ସାମିଲ ହୋଇଛନ୍ତି । ମୟୂରଭଞ୍ଜ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏହି ଖୋଳତାଡ଼ ଚାଲିଛି ।
ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ବାଲେଶ୍ଵର ଅଙ୍ଗାରଗଡ଼ିଆ ସ୍ଥିତ ୩ ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ସ୍ଥିତ ଏକ ଦୁଇ ମହଲା କୋଠା, ବେତନଟି ସ୍ଥିତ ଘର, ଅଫିସ, ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ସ୍ଥିତ ପୈତୃକ ଘର, ବସନ୍ତପୁରରେ ଥିବା ଫାର୍ମ ହାଉସ୍, ବାମପଡ଼ାରେ ଥିବା ଆଉ ଏକ ଘର, ଅଙ୍ଗାରଗଡ଼ିଆରେ ଥିବା ଘନିଷ୍ଠ ସହଯୋଗୀଙ୍କ ଘର, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ସ୍ଥିତ ଆଉ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର ଏବଂ ବାମପଡ଼ାରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଅରବିନ୍ଦଙ୍କ ବିରୋଧରେ କିଛିଦିନ ହେବ ଭିଜିଲାନ୍ସ ନିକଟକୁ ଏକାଧିକ ଅଭିଯୋଗ ଆସିଥିଲା । ତେବେ ଏହି ଚଢ଼ାଉରେ ବିପୁଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି । ତାଙ୍କର ନଗଦ ଟଙ୍କା, ସୁନା ଗହଣା, ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ଚଢ଼ାଉ ଶେଷ ହେବା ପରେ ମୋଟ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor